ରାଜ୍ୟ ସଡ଼କ ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ ସୁରକ୍ଷିତ ଘର ବାହୁଡା ଉପରେ ପରିବହନ ମନ୍ତ୍ରୀଙ୍କ ଗୁରୁତ୍ୱ…

ସଡ଼କ ସୁରକ୍ଷା ଉପରେ ସଚେତନତା ସୃଷ୍ଟିକୁ ଗୁରୁତ୍ୱ
• ନିୟମ ଭଙ୍ଗକାରୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ
• ନିୟମିତ ଚେକିଂ ସହ ହେବ ଜୋରିମାନା ଆଦାୟ
• ରବିବାର ଓ ବୁଧବାର ହେବ ଶୂନ୍ୟ ସହନଶୀଳତା ଦିବସ

ବାସ୍ତବବ୍ୟୁରୋ(ଭୁବନେଶ୍ୱର): ତା-୬.୩.୨୦୨୫ସାରା ଦେଶରେ ଏବେ ରାସ୍ତା ଦୁର୍ଘଟଣା ବଢ଼ିବା ସହ ଏଥି ଜନିତ ମୃତ୍ୟୁ ହାର ମଧ୍ୟ ବଢ଼ିବାରେ ଲାଗିଛି । ଦ୍ରୁତ ଗତିରେ ଗାଡି ଚାଳନା, ମଦ୍ୟପାନ, ବିନା ହେଲମେଟ ରେ ଗାଡି ଚଳାଇବା ଏବଂ ସଚେତନତା ଅଭାବ ଯୋଗୁଁ ବାରମ୍ବାର ଦୁର୍ଘଟଣା ହେବା ସହ ଧନଜୀବନ ହାନି ଘଟୁଛି । ତେଣୁ ରାସ୍ତା ଦୁର୍ଘଟଣାର ସବୁ କାରଣକୁ ଖୋଜିବା ସହ ଏହାର ନିରାକରଣ ଏବଂ ସଚେତନତା ସୃଷ୍ଟି କରି ଦୁର୍ଘଟଣା ହାରକୁ କମ କରିବାକୁ ପଡିବ ବୋଲି ଇସ୍ପାତ ଓ ଖଣି ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତିଭୁଷଣ ଜେନା ମତବ୍ୟକ୍ତ କରିଛନ୍ତି ।

ଲୋକସେବା ଭବନ ସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଡ଼କ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବା ସହ ମନ୍ତ୍ରୀ ଶ୍ରୀ ଜେନା ଯୋଗ ଦେଇଥିବା ଅଂଶୀଦାର ମାନଙ୍କ ଠାରୁ ସଡ଼କ ସୁରକ୍ଷା  ସଂପର୍କିତ ବିଭିନ୍ନ ବିଷୟକୁ ଅନୁଧ୍ୟାନ କରିବା  ସହ ସମସ୍ତଙ୍କ  ମଧ୍ୟରେ ସଚେତନତା ସୃଷ୍ଟି ସହ କଡ଼ା ଦଣ୍ଡ ବିଧାନ ଓ ଜୋରିମାନା ଆଦାୟ କଡାକଡି  କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  ପ୍ରତ୍ୟେକଟି ଜୀବନ ଆମ ପାଇଁ ମୁଲ୍ୟବାନ ହୋଇଥିବାରୁ  ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କଥା ଅନୁଯାଇ ସୁରକ୍ଷିତ ଘର ବାହୁଡା ଲାଗି ଆମ ସମସ୍ତଙ୍କୁ ଉଦ୍ୟମ  କରିବାକୁ ପଡିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ  ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଲେଯେ  ବିନା ହେଲମେଟରେ ଗାଡି ଚାଳନା ଏବଂ ଓଭର ସ୍ପିଡ ଯୋଗୁଁ ଦୁର୍ଘଟଣା ବଢ଼ିବାରେ ଲାଗିଛି । ତେଣୁ  ସିସିଟିଭି ନେଟୱାର୍କ ବ୍ୟବସ୍ଥାର ସୁଦୃଢ଼ୀକରଣ ସହ ବେଆଇନ ପାର୍କିଂ ହଟାଇବା ଏବଂ ଦୁର୍ଘଟଣାରେ ଆହତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ଉପରେ  ନିଜର ମତ ରଖିଥିଲେ ।  

ସେହିଭଳି ଉନ୍ନୟନ କମିଶନର ଶ୍ରମତୀ ଅନୁ ଗର୍ଗ ଯୋଗଦେଇ କହିଥିଲେ ଯେ ବ୍ଲାକ ସ୍ପଟ ଚିହ୍ନଟ ସହ ୧୮ ବର୍ଷର କମ ବୟସର ପିଲାଙ୍କୁ  ଗାଡିଚାଳନାରୁ କ୍ଷାନ୍ତ କରିବା, ଗ୍ରାମାଞ୍ଚଳରେ ସଡ଼କ  ସଚେତନତା ସୃଷ୍ଟି  ଓ ରୋଡ଼ ସେଫଟି ପଲିସି ଉପରେ ନିଜର ମତ ରଖିଥିଲେ ।  
ଏହି ବୈଠକରେ  ଦେଶ ଓ ରାଜ୍ୟରେ ସଡ଼କ ଦୁର୍ଘଟଣାର ସ୍ଥିତି, ଦୁର୍ଘଟଣାର କାରଣ ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ, ଖରାପ ଥିବା ରାସ୍ତାର ମରାମତି, ମଦ୍ୟପାନ କରି ଗାଡି  ଚାଳନାକୁ ରୋକିବା, ସିସି ଟିଭି ନେଟୱାର୍କ, ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ଦୁର୍ଘଟଣାକୁ କମ କରିବା ଦିଗରେ ନିଆଯିବାକୁ ଥିବା  ପଦକ୍ଷେପ  ବିଷୟରେ ଆଲୋଚନା ହୋଇଥିଲା ।  

୨୦୨୪ ରେ ଖୋର୍ଦ୍ଧା , ସୁନ୍ଦରଗଡ଼, କଟକ, ଗଞ୍ଜାମ ଏବଂ କେଉଁଝର ଜିଲ୍ଲାରେ ଅଧିକ ଦୁର୍ଘଟଣା ହୋଇଥିବା ରେକଡ ହୋଇଥିବା ବେଳେ ବିଭିନ୍ନ   ବିଦ୍ୟାଳୟ, ହସ୍ପିଟାଲ,  ମନ୍ଦିର ତଥା ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନରେ ଦୁର୍ଘଟଣାକୁ ରୋକିବା ପାଇଁ ପ୍ରତିହତ ବ୍ୟବସ୍ଥା ଗ୍ରହଣ କରିବାକୁ ବୈଠକରେ ଆଲୋଚନା ହୋଇଥିଲା ।     

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ  ସତ୍ୟବ୍ରତ ସାହୁ, ପୁଲିସ ଡିଜି  ଶ୍ରୀ ୱାଇବି ଖୁରାନିଆ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ, ଓଏସଆରଟିସି ସିଏମଡି,  ଶ୍ରୀ ଦିପ୍ତେଶ ପଟ୍ଟନାୟକ, ପରିବହନ  କମିଶନର  ଶ୍ରୀ ଅମିତାଭ ଠାକୁର, ଅତିରିକ୍ତ ପୁଲିସ କମିଶନର ଶ୍ରୀ ନରସିଂହ ଭୋଳ,ଜାତୀୟ ରାଜପଥ ପ୍ରାଧିକରଣ କତ୍ତୃପକ୍ଷଙ୍କ  ସମେତ ବିଭିନ୍ନ  ବିଭାଗୀୟ ଅଧିକାରୀ ଏବଂ ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ବିଭିନ୍ନ ସଦସ୍ୟମାନେ ଯୋଗ ଦେଇଥିଲେ ।
ସେୟାର କରନ୍ତୁ

Next Post

ପ୍ରାୟ ୧ କୋଟି ମହିଳାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ୨ୟ କିସ୍ତି

Sat Mar 8 , 2025
ବାସ୍ତବ ବ୍ୟୁରୋ : ମହିଳା ଦିବସରେ ୧ କୋଟି ୬୩ ହଜାର ମହିଳାଙ୍କ ବ୍ୟାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା । ବ୍ରହ୍ମପୁର ସମାବେଶରେ ସୁଭଦ୍ରାର ୨ୟ କିସ୍ତି ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସଭାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ, ପ୍ରଭାତୀ ପରିଡ଼ାଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟକମାନେ ଉପସ୍ଥିତ ରହିଥିଲେ ।  ସୁଭଦ୍ରା ଯୋଜନା ପାଇଁ ୧ କୋଟି  ୮ ଲକ୍ଷ […]

You May Like

Pin It on Pinterest