ବାସ୍ତବ ବ୍ୟୁରୋ: ଆଜି ଭୋର ୪ ଟା ବେଳେ ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପରଲୋକ ହୋଇଯାଇଛି। ଏନେଇ ସୂଚନା ଦେଇଛନ୍ତି ପୁତ୍ର ଅଭିଜିତ ଦାସ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ଅନନ୍ତ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ। ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ତାଙ୍କର ପରଲୋକ ହୋଇଛି।
ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ବହୁ ପ୍ରମୁଖ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ମନ୍ତ୍ରୀ ଓ ବିଧାୟକ ଭାବେ ସେ ରାଜ୍ୟର ଓ ବାଲେଶ୍ଵର ଅଞ୍ଚଳର ବିକାଶ ପାଇଁ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖି ଯାଇଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।”
ସ୍ବର୍ଗତ ଦାସ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ପଟ୍ଟନାୟକ କହିଛନ୍ତି, “ସ୍ବର୍ଗତ ଦାସ ଜଣେ ଦକ୍ଷ ସଂଗଠକ ଅଭିଜ୍ଞ ପ୍ରଶାସକ ଓ ଲୋକପ୍ରିୟ ରାଜନେତା ଥିଲେ। ଓଡ଼ିଶା ସରକାରର ମନ୍ତ୍ରୀ ଭାବରେ ସେ ଶିଳ୍ପ,ଉଚ୍ଚ ଶିକ୍ଷା ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରି ରାଜ୍ୟର ବିକାଶରେ ଉଲ୍ଲେଖନୀୟ ଯୋଗଦାନ ରଖି ଯାଇଛନ୍ତି। ବିଜୁ ଜନତା ଦଳ ବାଲେଶ୍ୱର ଜିଲ୍ଲା ସଭାପତି ଭାବରେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ରାଜ୍ୟ ଜଣେ ଅଭିଜ୍ଞ ରାଜନେତାଙ୍କୁ ହରାଇଲା ଏବଂ ବିଜୁ ଜନତା ଦଳ ଜଣେ ନିଷ୍ଠାପର ସଂଗଠକଙ୍କୁ ହରାଇଲା।”
ସୂଚନାନୁଯାୟୀ, ୧୯୪୦ ମସିହା ଅଗଷ୍ଟ ୨୮ ତାରିଖରେ ଭୋଗରାଇ ବ୍ଲକ ବାଲିମ ପଞ୍ଚାୟତର କୁରୁଠିଆ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଅନନ୍ତ ଏମଏ ଏଲଏଲବି ପାସ୍ କରିବା ପରେ ସରକାରୀ ଚାକିରୀ ପାଇଥିଲେ। ଚାକିରି ଜୀବନରେ ସେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଚାକିରିରୁ ଅବସର ନେବା ପରେ ସେ ଭୋଗରାଇ ବିକାଶ ପରିଷଦ ଗଠନ କରି ଭୋଗରାଇର ବିକାଶ ପାଇଁ ଅଣ୍ଟା ଭିଡ଼ି ଥିଲେ। ପରେ ଏନସିପିରୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। କିନ୍ତୁ ୨୦୦୪ ନିର୍ବାଚନରେ ସେ ବିଜେଡି ଟିକଟରୁ ଲଢି ଭୋଗରାଇର ବିଧାୟକ ଭାବେ ବିଜୟୀ ହୋଇଥିଲେ। ୨୦୦୪ ରୁ ୨୦୧୯ ଯାଏଁ କ୍ରମାଗତ ଭାବେ ସେ ୪/୪ ଟି ନିର୍ବାଚନରେ ଭୋଗରାଇରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ। ଏହା ବ୍ୟତୀତ ଓଡ଼ିଶା ସରକାରଙ୍କ ଶିଳ୍ପମନ୍ତ୍ରୀ,ଉଚ୍ଚ ଶିକ୍ଷା ମନ୍ତ୍ରୀ, ସରକାରୀ ଦଳର ମୁଖ୍ୟ ସଚେତକ, ବାଲେଶ୍ଵର ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ପରି ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ମଧ୍ୟ ସଫଳତାର ସହ ଦାୟିତ୍ବ ତୁଲାଇଛନ୍ତି।



