ବାସ୍ତବ ବ୍ୟୁରୋ:ବିଭିନ୍ନ ଦାବି ନେଇ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (ୟୁଏଫବିୟୁ ) ମାର୍ଚ୍ଚ ୨୪ଏବଂ ୨୫ ତାରିଖ ଦୁଇ ଦିନିଆ ଧର୍ମଘଟ ଡାକରା ଦେଇଛି। ରାଜ୍ୟର ୬ ହଜାର ସରକାରୀ ବ୍ୟାଙ୍କ ଶାଖାର ୩୭ ହଜାରରୁ ଅଧିକ କର୍ମଚାରୀ ସାମିଲ ହେବେ ବୋଲି ସାମ୍ୱାଦିକ ସମ୍ମିଳନୀ କରି ୟୁଏଫବିୟୁ ଓଡ଼ିଶା ଶାଖା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଦେଶର ୯ଟି ବ୍ୟାଙ୍କ ସଂଘ ଏହି ଧର୍ମଘଟରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି । ପର୍ଯ୍ୟାପ୍ତ ନିଯୁକ୍ତି ଓ ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା, ୫ ଦିନିଆ କାର୍ଯ୍ୟ ସପ୍ତାହ, ପିଏଲଆଇ ନେଇ ଡିଏଫଏସଙ୍କ ନିର୍ଦ୍ଦେଶାବଳୀ ପ୍ରତ୍ୟାହାର, ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷା, ରାଷ୍ଟ୍ରାୟତ ବ୍ୟାଙ୍କରେ ନିର୍ଦ୍ଦେଶକ ପଦବୀ ପୂରଣ, ଗ୍ରାଚୁଇଟି ଆଇନରେ ସଂଶୋଧନ, ଆଇଡିବିଆଇ ବ୍ୟାଙ୍କରେ ସର୍ବନିମ୍ନ ୫୧% ଅଂଶଧନ ରଖିବା ଭଳି ୯ଟି ଦାବୀ ନେଇ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ଆନ୍ଦୋଳନକୁ ଓହ୍ଲାଇବେ।
ଧର୍ମଘଟ ପୂର୍ବରୁ ମାର୍ଚ୍ଚ ୨୨ ଓ ୨୩ ତାରିଖ ସାପ୍ତାହିକ ଛୁଟି ଥିବାରୁ ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କିଙ୍ଗ ସେବା ବନ୍ଦ ରହିବ ବୋଲି ୟୁଏଫବିୟୁ ଓଡ଼ିଶା ଶାଖାର ଆବାହକ ଅରୁଣ କୁମାର ବିଷୋୟୀ ସୂଚନା ପ୍ରଦାନ କରିଛନ୍ତି।
ଅସୁବିଧା ଏଡାଇବା ପାଇଁ ସମୟ ଥାଉ ଗ୍ରାହକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ କାରବାର ସାରିବାକୁ ଅନୁରୋଧ କରାଯାଉଛି।