ବାସ୍ତବ ବ୍ୟୁରୋ: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି । ଏପ୍ରିଲ ୨ରୁ ରାଜ୍ୟରେ ହେବ ସକାଳୁଆ ସ୍କୁଲ । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ପ୍ରଦାନ କରିଛନ୍ତି । ସକାଳ ୭ଟାରୁ ୯ଟା ଯାଏଁ ରାଜ୍ୟରେ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲାରହିବ । ତାତି ବଢିଲେ ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି ସହିତ ପିଲାଙ୍କ ପାଇଁ ଖାଦ୍ୟ ହୋମ୍ ଡେଲିଭରି କରାଯିବ ।
ସେହିଭଳି ଶ୍ରମିକ ମାନଙ୍କ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ସମୟସୀମା ନିର୍ଦ୍ଧାରଣ କରାଯାଇଛି । ଦିନ ୧୧ଟାରୁ ଦିନ ୩ଟା ଯାଏଁ ଶ୍ରମିକ ମାନଙ୍କ ପାଇଁ କାମ ବନ୍ଦ ରହିବ । ଏଥିରେ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ବନ୍ୟା ବାତ୍ୟା ଭଳି ଗ୍ରୀଷ୍ମ ପ୍ରବାହରେ ମଧ୍ୟ ଜିରୋ କାଜୁଆଲଟି ଲକ୍ଷ୍ୟ ରଖାଯାଇଛି । ଛାଇ ପାଇଁ ରାସ୍ତାରେ ବିଭିନ୍ନ ସ୍ଥାନରେ ଛାମୁଡ଼ିଆ କରାଯିବ ଏବଂ ଜଳଛତ୍ର ଖୋଲାଯିବ । ନଳକୂପ ଖନନ ପାଇଁ ଜିଲ୍ଲା ଗୁଡିକୁ ୩୦୦ କୋଟି ଟଙ୍କା ଦିଆଯାଇଛି । ଅଘୋଷିତ ବିଜୁଳି କାଟ୍ ହେବନି । ଦିନ ୧୧ଟାରୁ ୩ଟା ଏବଂ ରାତିରେ ବିଦ୍ୟୁତ୍ କାଟ୍ ହେବନି । କିନ୍ତୁ ଘୋଷିତ ବିଦ୍ୟୁତ୍ କାଟ ହେବ ବୋଲି ମନ୍ତ୍ରୀ କହିଛନ୍ତି ।



