ବାସ୍ତବ ବ୍ୟୁରୋ : ସମୟ ଦିନ ପ୍ରାୟ ୧୧ଟା ୪୫, ଆଜି (ରବିବାର) ବେଙ୍ଗାଳୁରୁରୁ ଗୁଆହାଟୀ ଯାଉଥିଲା କାମାକ୍ଷା ଏକ୍ସପ୍ରେସ୍ ଟ୍ରେନ୍। ଶନିବାର ସକାଳ ୮ଟା ୫୦ରେ ଏହି ଟ୍ରେନଟି ବେଙ୍ଗଳୁରୁରୁ ଛାଡ଼ିଥିଲା, ଆଉ ସୋମବାର ଦିନ ୧ଟା ୪୫ରେ କାମାକ୍ଷାରେ ପହଞ୍ଚିଥାନ୍ତା । କିନ୍ତୁ କଟକ ମହାନଦୀ ବ୍ରିଜ୍ ଅତିକ୍ରମ କରିବା ପରେ ଥରିବାକୁ ଲାଗିଲା ଟ୍ରେନ। କେହି କିଛି ବୁଝିବା ପୂର୍ବରୁ ଘଟିସାରିଥିଲା ଦୁର୍ଘଟଣା। ଟ୍ରାକ୍ରୁ ଅଲଗା ହୋଇଯାଇଥିଲା ୧୧ଟି ବଗି।
ଏହା ଦ୍ବାରା ୮ ଜଣ ଯାତ୍ରୀ ଟ୍ରେନ୍ରୁ ଖସିପଡ଼ିଥିଲେ। ସେମାନଙ୍କର ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣଙ୍କର ଚିକିତ୍ସା ଜାରି ରହିଛି। ମୃତ ବ୍ୟକ୍ତି ହେଲେ ଶୁଭଙ୍କର ରୟ। ଏହି ଘଟଣା ପରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମେଡିକାଲରେ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ। ବରିଷ୍ଠ ଡାକ୍ତରମାନେ ଆହତଙ୍କ ଚିକିତ୍ସା କରୁଛନ୍ତି। ଦୁର୍ଘଟଣା ପରେ ଏନ୍ଡିଆରଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ଲୋକଙ୍କ ଉଦ୍ଧାରକାର୍ଯ୍ୟ କରିଥିଲେ।
ପୂର୍ବତଟ ରେଳପଥର ସିଆରପିଓ ଅଶୋକ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ୧୧ଟି କୋଚ୍ ଦୁର୍ଘଟଣା ହୋଇଛି। ଘଟଣା ପୂର୍ବାହ୍ନ ପ୍ରାୟ ୧୧.୫୪ ସମୟରେ ଘଟିଥିଲା। ମିଶ୍ର ସୂଚନା ଦେଇଛନ୍ତି ଯେ, ଡିଆରଏମ ଖୋର୍ଦ୍ଧା ରୋଡ୍, ଜିଏମ/ଇସିଓଆର ଏବଂ ଅନ୍ୟାନ୍ୟ ଉଚ୍ଚସ୍ତରୀୟ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଦୁର୍ଘଟଣା ରିଲିଫ୍ ଏବଂ ମେଡିକାଲ ରିଲିଫ୍ ଟ୍ରେନ୍ ଘଟଣାସ୍ଥଳକୁ ଯାତ୍ରା କରିଛି। ପ୍ରଭାବିତ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ସାହାଯ୍ୟ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ଆମର ପ୍ରାଥମିକତା ହେଉଛି ଯଥାଶୀଘ୍ର ଲାଇନକୁ ପୁନଃସ୍ଥାପିତ କରିବା ଏବଂ ତଦନୁସାରେ ଅନ୍ୟ ଟ୍ରେନଗୁଡ଼ିକୁ ଗତିପଥ ପରିବର୍ତ୍ତନ କରାଯିବ।
ତଦନ୍ତ ପରେ ଲାଇନଚ୍ୟୁତ ହେବାର କାରଣ ଜଣାପଡିବ ବୋଲି ସିଆରପିଓ କହିଛନ୍ତି। ପୂର୍ବତଟ ରେଲୱେ କିଛି ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରିଛି, ଯାହା ନିମ୍ନଲିଖିତ ଅଟେ:
କଟକ ପାଇଁ ହେଲ୍ପଲାଇନ୍ ନଂ -୮୯୯୧୧୨୪୨୩୮
ଭୁବନେଶ୍ୱର ପାଇଁ ହେଲ୍ପଲାଇନ୍ ନଂ -୮୪୫୫୮୮୫୯୯୯
ଭଦ୍ରକ ପାଇଁ ହେଲ୍ପଲାଇନ୍ ନଂ -୯୪୩୭୪୪୩୪୬୯
ଦୁର୍ଘଟଣାସ୍ଥଳ ପାଇଁ ନଂ-୮୯୯୧୧୨୪୨୩୮
ଖୋର୍ଦ୍ଧା ପାଇଁ ହେଲ୍ପଲାଇନ୍ ନଂ -୦୬୭୪୨୪୯୨୨୪୫
ଦୁର୍ଘଟଣା ଯୋଗୁଁ ସମସ୍ୟାର ସମ୍ମୁଖୀନ ହୋଇଥିବା ଯାତ୍ରୀମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍ କାମାକ୍ଷା ଅଭିମୁଖେ ବାହାରିଛି। ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ଏନେଇ ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭୁବନେଶ୍ବରରୁ ଏହି ସ୍ବତନ୍ତ୍ର ଟ୍ରେନ୍ ବାହାରିଥିଲା। ଭାୟା ନରାଜ ଦେଇ ଏହି ଟ୍ରେନ ଦୁର୍ଘଟଣାସ୍ଥଳକୁ ଯାଇଥିଲା। ଏହି ଟ୍ରେନ୍ ଅଧାରେ ଫସିଥିବା ଯାତ୍ରୀଙ୍କୁ ନେଇ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବ। ରେଲୱେର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଆହତ ଯାତ୍ରୀମାନଙ୍କୁ ମେଡିକାଲ ପଠାଯାଉଛି। ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି।