ବାସ୍ତବ ବ୍ୟୁରୋ : ବୁଧବାର ଚୈତ୍ର ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି (ଶ୍ରୀମୁଖସିଂହାର) ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି । ଏଥିପାଇଁ ଅପରାହ୍ନ ୫ଟାରୁ ରାତି ୧୦ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ସାଧାରଣତଃ ଅପରାହ୍ଣରୁ ସନ୍ଧ୍ୟା ସମୟରେ ଏହି ନୀତି ହୋଇଥାଏ । ଦତ୍ତମହାପାତ୍ର ସେବକମାନେ ଦାରୁଦିଅଁଙ୍କ ବନକଲାଗି ସେବା କରିବେ । ଏହାଦ୍ୱାରା ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ । ବନକଲାଗି ପରେ ମହାସ୍ନାନ ପୂଜା ବଢ଼ି ପୁନଃ ଦର୍ଶନ ଆରମ୍ଭ ହେବ । ଠାକୁରଙ୍କ ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଁଥ ଅଠା, କସ୍ତୁରୀ ଓ କଳା ଆଦି ଆବଶ୍ୟକ ହୋଇଥାଏ । ସେହି ଦିନର ଠାକୁରଙ୍କ ନୀତି ଅନୁସାରେ ବନକଲାଗି ଓ ଦର୍ଶନ କଟକଣା ସମୟ ସ୍ଥିର ହେବ । ଅପରାହ୍ନ ୫ଟାରୁ ରାତି ୧୦ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।