
ବାସ୍ତବ ବ୍ୟୁରୋ :ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଦକ୍ଷିଣ ବଙ୍ଗୋପସାଗର ମଧ୍ୟଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।ଏହା ୮ ତାରିଖ ଯାଏଁ ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଏହାସହ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରୁ ସାମାନ୍ୟ ଉତ୍ତର ଆଡ଼କୁ ଗତିକରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୪୮ ଘଣ୍ଟା ଯାଏଁ ସାମାନ୍ୟ ଉତ୍ତର ଆଡ଼କୁ ଗତିକରିବାର ସମ୍ଭାବନା ରହିଛି । ଏ ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି ।
ସେପଟେ ଲଘୁଚାପର ବିଶେଷ ପ୍ରଭାବ ରହିବନି । ୮ରୁ ୧୦ ତାରିଖ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଆକଳନ କରି କହିଥିଲେ, ଲଘୁଚାପ ସୃଷ୍ଟି ହେବାର କ୍ୱଚିତ୍ ସମ୍ଭାବନା ରହିଛି । ପବନର ବେଗ କମ୍ ରହୁଥିବାରୁ ଏହା ଆଦୌ ପ୍ରଭାବଶାଳୀ ହେବନି । ୮ରୁ ୧୦ ତାରିଖ ଯାଏଁ ଉପକୂଳ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହୋଇପାରେ ।
ସେହିଭଳି ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ୮ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ବର୍ଷା ଓ ଘଡ଼ଘଡ଼ି ହୋଇପାରେ । ୩୦ରୁ ୪୦ କି.ମି. ବେଗରେ ପବନ ବି ବହିବାର ସମ୍ଭାବନା ଅଛି । ୯ ଓ ୧୦ ତାରିଖରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ସମ୍ଭାବନା ଅଛି ।