
>୩୦୦ ଦିନରେ ଡବଲ ଇଞ୍ଜିନ ସରକାରଙ୍କ ଉପଲବ୍ଧି କ’ଣ ?
>ବିକଶିତ ଓଡ଼ିଶା ପାଇଁ ଆଗାମୀ ୪ ବର୍ଷର ରୋଡମ୍ୟାପ ପ୍ରକାଶ କରିବେ କି ?
>ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା/ ଫୋକସ ଷ୍ଟେଟ୍ ମାନ୍ୟତା କେବେ ମିଳିବ ?
>ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ବୃଦ୍ଧି କେବେ ?
ବାସ୍ତବବ୍ୟୁରୋ(ଭୁବନେଶ୍ୱର)୨୮/୦୪/୨୦୨୫: ସରକାରକୁ ଆସିବାର ଶହେ ଦିନ ଭିତରେ ରାଜ୍ୟରେ ଆଖିଦୃଶିକାାର୍ଯ୍ୟ ଦେଖାଇବୁ ବୋଲି କହିଥିବା ବିଜେପି ସରକାରକୁ ତିନି ଶହ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ଆଖିଦୃଶିଆାକାର୍ଯ୍ୟ କରିପାରିନାହିଁ ବୋଲି ବିଜୁ ଜନତା ଦଳ ଅଭିଯୋଗ।
ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ୧୭୭ତମ ଜୟନ୍ତୀ ଅବସରରେ ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ସମନ୍ବୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ ଅରୁଣ ସାହୁ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଓଡ଼ିଆ ଅସ୍ମିତା ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାରର ବିଫଳତାକୁ ନେଇ ପ୍ରଶ୍ନ କରିଥିଲେ । ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ଆଜିଭଳି ପବିତ୍ର ଦିବସରେ, ଗୋଟିଏ ଦାୟିତ୍ଵ ସମ୍ପନ୍ନ ବିରୋଧୀ ଦଳ ଭାବେ ଆମେ ରାଜ୍ୟବାସୀଙ୍କ ତରଫରୁ ପ୍ରଶ୍ନ କରୁଛୁ ଯେ, ସରକାରକୁ ଆସିବାର ୩୦୦ ଦିନର ଉପଲବ୍ଧି କ’ଣ ?
ସ୍ଵତନ୍ତ୍ର ଓଡିଶା ଗଠନର ଶହେ ବର୍ଷ ପୂର୍ତି ଅର୍ଥାତ ୨୦୩୬ ବେଳକୁ ଓଡିଶାକୁ ଏକ ବିକଶିତ ରାଜ୍ୟ ଭାବେ ଗଢି ତୋଳିବା ପାଇଁ, ଆଗାମୀ ୪ ବର୍ଷର ରୋଡମ୍ୟାପ ପ୍ରକାଶ କରିବେ କି ? ଓଡିଶା ଲଗାତର ଭାବେ କେନ୍ଦ୍ର ଅବହେଳାର ଶିକାର ହୋଇ ଆସୁଥିବା ବେଳେ, ଓଡିଶାକୁ ସ୍ଵତନ୍ତ୍ର ରାଜ୍ୟପାହ୍ୟା ବା ଫୋକସ ଷ୍ଟେଟ୍ର ମାନ୍ୟତା ପାଇଁ ବିଜୁ ଜନତା ଦଳ ଦାବି କରିଆସୁଛି। ୨୦୧୩ ମସିହାରେ ମଧୁବାବୁଙ୍କ ପବିତ୍ର ଜନ୍ମ ତିଥିରେ ଆରମ୍ଭ ହୋଇଥିଲା ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନର ଦାବି। ପରବର୍ତ୍ତୀ ସମୟରେ ନବୀନ ବାବୁଙ୍କ ନେତୃତ୍ୱରେ ଦିଲ୍ଲୀର ରାମଲୀଳା ମୈଦାନରେ ଏକ ବିଶାଳ ସମାବେଶ ଆୟୋଜିତ ହେବା ସହିତ ମହାମହିମ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ବିଜେପି ୨୦୧୪ ନିର୍ବାଚନ ଇସ୍ତାହାରରେ, ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ କରିବ ?
ଡ଼ ଅରୁଣ ସାହୁ କହିଥିଲେ, ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ ସରକାରକୁ ଆସିଥିବା ବିଜେପି ଠାରୁ କେନ୍ଦ୍ର ସରକାରଙ୍କ ସ୍ଵତନ୍ତ୍ର ଅନୁଦାନ ପାଇଁ ଆଶା କରାଯାଉଥିଲା। କିନ୍ତୁ, କେନ୍ଦ୍ର ସରକାର ଓଡିଶାକୁ ମିଳୁଥିବା ଅନୁଦାନରେ ଟଙ୍କାଟିଏ ମଧ୍ୟ ବୃଦ୍ଧି କରିନାହାନ୍ତି। ଦୁଃଖ ଓ ପରିତାପର ବିଷୟ ଯେ, ରାଜ୍ୟ ସରକାର ଦାୟିତ୍ଵରେ ଥିବା ବିଜେପିର ନେତୃତ୍ୱ କେନ୍ଦ୍ର ଆଗରେ ଓଡିଶାକୁ ଅନୁଦାନ ବୃଦ୍ଧି ପାଇଁ ମୁହଁ ଖୋଲିବାକୁ ସାହସ ଜୁଟାଇ ପାରିନାହାନ୍ତି। ବିଗତ ୨ ଦଶନ୍ଧି ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୂକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ଏକ ଅଭାବୀ ରାଜ୍ୟରୁ ପ୍ରଭାବୀ ରାଜ୍ୟରେ ପରିଣତ ହୋଇଥିଲା । ଅନ୍ୟ ରାଜ୍ୟକୁ ସ୍ୱତନ୍ତ୍ର ଅନୁଦାନ ମିଳୁଥିଲା ବେଳେ ଓଡ଼ିଶା ପାଇଁ କେନ୍ଦ୍ରୀୟ ଅନୁଦାନ କେବେ ବୃଦ୍ଧି ହେବ ?
ପୂର୍ବରୁ ନବୀନ ସରକାରଙ୍କ ଦ୍ଵାରା ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନା ମଧ୍ୟରୁ ଅନେକ ଯୋଜନାକୁ ଅନ୍ୟ ରାଜ୍ୟମାନେ ଲାଗୁ କରିଛନ୍ତି । କିନ୍ତୁ ନିକଟରେ ପୁରୀଠାରେ ବିଜେପିର ଏକ କାର୍ଯ୍ୟକ୍ରମରେ ରାଜ୍ୟରେ ୟୁପି ମଡେଲ ଲାଗୁ କରାଯିବ ବୋଲି ବିଜେପି ନେତୃତ୍ୱ କହିଥିଲେ। ନବୀନ ସରକାର ସମୟରେ ଶିଶୁ ଓ ମାତୃ ମୃତ୍ୟୁହାରକୁ କମାଇବା ପାଇଁ ମମତା ଯୋଜନା ଲାଗୁ କରାଯାଇଥିଲା ଓ ଏହାର ସଫଳତା ପରେ ସମଗ୍ର ଦେଶରେ କେନ୍ଦ୍ର ସରକାର ଏହାକୁ ଲାଗୁ କରିଥିଲେ। ଦେଶରେ ଗ୍ରାମାଞ୍ଚଳରେ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରଥମେ ନବୀନ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ସମଗ୍ର ଦେଶରେ ଲାଗୁ ହୋଇଥିଲା । ନବୀନଙ୍କ ସମୟରେ ସାରା ଦେଶରେ ଓଡିଶା ପଥ ପ୍ରଦର୍ଶକ ଥୁଲା ବେଳେ ଆଜି ଓଡ଼ିଆ ଅସ୍ମିତା ନାରା ଦେଇ ଆସିଥିବା ବିଜେପି ସରକାରଙ୍କୁ ୟୁପି ମଡେଲର ଆବଶ୍ୟକତା ପଡ଼ୁଛି। ଆଜି ଓଡ଼ିଆ ସ୍ଵାଭିମାନର ପ୍ରତୀକ ମଧୁବାବୁଙ୍କ ପବିତ୍ର ଜନ୍ମତିଥିରେ ଆମେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛୁ ଯେ, ଓଡ଼ିଆ ଅସ୍ମିତା ଏବେ କେଉଁଠି ?