ବାସ୍ତବ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ଚାଲିଥିବା ବେଳେ ପୁରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।
ଯୁଦ୍ଧ ପରିସ୍ଥିତିକୁ ନଜରରେ ରଖି ଓଡିଶାର ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମସ୍ତ ସନ୍ଦିଗ୍ଧ ଗତିବିଧିକୁ ନଜରରେ ରଖିଛନ୍ତି ସୁରକ୍ଷା ବାହିନୀ ।
ଏହିକ୍ରମରେ ପୁରୀ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହିତ ମନ୍ଦିର ଚତୁଃପାର୍ଶ୍ବରେ ବୋମା ନିରୋଧି ଦଳ ତନତନ କରି ଯାଞ୍ଚ କରୁଛନ୍ତି। ଡଗ୍ ସ୍କ୍ୱାର୍ଡ ମଧ୍ୟ ମୁତୟନ କରାଯାଇଛି। ଗୁରୁବାର ସାରା ରାତିରେ ଚେକିଂ ଏବଂ ବ୍ଲକିଂ ଜୋରଦାର କରାଯାଇଥିଲା। ସହରର ବିଭିନ୍ନ ହୋଟେଲ,ଲଜ୍, ଧର୍ମଶାଳ ଗୁଡ଼ିକରେ ମଧ୍ୟ ଯାଞ୍ଚ କରାଯାଇଛି। ହୋଟେଲ ରହୁଥିବା ଲୋକମାନଙ୍କର ପରିଚୟପତ୍ର ଯାଞ୍ଚ କରାଯାଉଛି।
ସେହିପରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ବି ହାଇ ଆଲର୍ଟ ଜାରି କରାଯାଇଛି।ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିସହ ସୁରକ୍ଷା କର୍ମୀମାନେ ବିମାନ ବନ୍ଦରରେ ଯାତ୍ରୀମାନଙ୍କର ପରିଚୟ ପତ୍ରକୁ ମଧ୍ୟ କଡ଼ାକଡ଼ି ଭାବେ ଯାଞ୍ଚ କରୁଛନ୍ତି।
ଭଦ୍ରକ ଜିଲ୍ଲାରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାର ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଅଞ୍ଚଳରେ ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଲଏନଜି ଟର୍ମିନାଲ, ଏସିଆର ବୃହତ୍ତମ ବନ୍ଦର ଧାମରା ବନ୍ଦର ଓ ପ୍ରତିରକ୍ଷା ରିସର୍ଚ୍ଚ ସେଣ୍ଟର ଥିବାରୁ ଏହି ଅଞ୍ଚଳ ଗୁଡିକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରାଯାଇଛି । ମେରାଇନ୍ ପୋଲିସ ମଧ୍ୟ ସଜାଗ ରହିଛି । ମକ୍ ଡ୍ରିଲ୍ ବେଳେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଇଛି ।
ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଠାରେ ୪ଟି ସ୍ତରର ସୁରକ୍ଷାକୁ ବିଚାର କରାଯାଇଛି। ପ୍ରଥମେ, ଓଡ଼ିଶା ପୋଲିସ ମୁତୟନ କରାଯାଇଛି, ତା’ପରେ ସେନା, ତା’ପରେ DRDOର ନିଜସ୍ୱ ସୁରକ୍ଷା ଦଳ ଏବଂ ଶେଷରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP) ଚତୁର୍ଥ ସ୍ତରର ସୁରକ୍ଷା ଯୋଗାଇ ଦେଉଛି। ସମସ୍ତ ସୁରକ୍ଷା ଏଜେନ୍ସି ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିଛନ୍ତି ଏବଂ ଯେକୌଣସି ଅପ୍ରୀତିକର ଘଟଣା ରୋକିବା ପାଇଁ ସଜାଗ ଅଛନ୍ତି। ଦେଶରେ ବର୍ତ୍ତମାନର ଯୁଦ୍ଧ ଭଳି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଧ୍ୟାନରେ ରଖି, ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କଠୋର ପଦକ୍ଷେପ ନିଆଯାଉଛି।