ବାସ୍ତବ ବ୍ୟୁରୋ- କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଙ୍କ ସରକାର ଲକଡାଉନ ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ଗୋଷ୍ଠୀ ପାଇଁ ୧,୬୦୦ କୋଟିରୁ ଅଧିକ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି । ଏହି ପ୍ୟାକେଜ ଦ୍ୱାରା ଛୋଟ ଓ ମଧ୍ୟମ ଉଦ୍ୟୋଗ, ବୁଣାକାର, ଫୁଲ ଚାଷୀ, ଧୋବି, ବାରିକ, ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ସୁବିଧା ଯୋଗାଇଦେବ ।

ଏହି ଘୋଷିତ ପଦକ୍ଷେପ ରେ, ଫୁଲ ବିକ୍ରେତାମାନେ ହେକ୍ଟର ପିଛା ୨୫,୦୦୦ ଟଙ୍କା ରିଲିଫ୍ ପାଇବେ ଯାହା ଫସଲ ନଷ୍ଟ ପାଇଁ ସର୍ବାଧିକ ହେକ୍ଟର ସୀମା ମଧ୍ୟରେ ସୀମିତ ରହିବ । ଧୋବି ଓ ବାରିକମାନଙ୍କ ପାଇଁ ଥରେ ୫,୦୦୦ ଟଙ୍କା କ୍ଷତିପୂରଣ ମିଳିବ। ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭରମାନେ ଥରକ ପାଇଁ ୫,୦୦୦ ଟଙ୍କା ଥଇଥାନ ରାଶି ପାଇବେ। ନିର୍ମାଣ ଶ୍ରମିକମାନେ ପୂର୍ବରୁ ପାଇଥିବା ୨୦୦୦ ଟଙ୍କା ବ୍ୟତୀତ ୩୦୦୦ ଟଙ୍କା ପାଇବେ । ଉଭୟ ସହରାଞ୍ଚଳ ତଥା ଗ୍ରାମାଞ୍ଚଳର ବାରିକ ଏବଂ ଧୋବୀ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିବା ଜଣା ପଡିଛି ।ତେବେ ବୁଣାକାରମାନଙ୍କୁ ମଧ୍ୟ ସହାୟତା ରାଶି ଭାବରେ ମଧ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨,୦୦୦ ଟଙ୍କା ଲେଖାଏଁ ଦିଆଯିବ ବୋଲି ଜଣା ପଡିଛି । ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡିକ (ଏମ୍ଏସ୍ଏମ୍ଇ)ପାଇଁ ବିଦ୍ୟୁତ୍ ବିଲ୍ ଉପରେ ଦୁଇମାସ ଛାଡ କରାଯିବ । ବୃହତ ଶିଳ୍ପଗୁଡିକର ବିଦ୍ୟୁତ୍ ବିଲ୍ ଦୁଇମାସ ପାଇଁ ସ୍ଥଗିତ ରଖାଯିବ ବୋଲି ଜଣା ପଡିଛି ।
