ବାସ୍ତବ ବ୍ୟୁରୋ-ଜଗତସିଂହପୁର ଛୁଇଁଲା କରୋନା । ଜଗତସିଂହପୁରର ଜିଲ୍ଲାର ନାଉଗାଁ ଅଞ୍ଚଳରୁ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଜଣ ଗୋଟିଏ ପରିବାରର ଓ ଚତୁର୍ଥ ଆକ୍ରାନ୍ତ ସେହି ଗାଁର ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ୪ଜଣ ଯାକ ପୁରୁଷ ହୋଇଥିବା ବେଳେ ସେମାନେ ସୁରତ ଫେରନ୍ତା । ଏହି ୪ ଜଣ ଯାକ ଗୋଟିଏ ସଙ୍ଗରୋଧ ଗୃହରେ ଥିଲେ । କାହା ନିକଟରେ ରୋଗର ଲକ୍ଷଣ ନ ଥିବା କଥା ସ୍ପଷ୍ଟ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଏହାକୁ ମିଶାଇ ଓଡ଼ିଶାରେ ୧୭ଟି ଜିଲ୍ଲା କରୋନା ମାନଚିତ୍ରରେ ଯୋଡ଼ି ହୋଇଯାଇଛି ।
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲରୁ ମଧ୍ୟ ବହୁ ଦିନର ବ୍ୟବଧାନ ପରେ ଜଣେ ଆକ୍ରାନ୍ତ ଠାବ ହୋଇଛନ୍ତି । ତାଙ୍କର ବୟସ ୬୦ ବର୍ଷ ଓ ସେ କୋଲକାତା ଫେରନ୍ତା । ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛି । ୬୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୨ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଓଡ଼ିଶାରେ ୧୨୨ ଆକ୍ଟିଭ କେସ୍ ରହିଛି ।



