ବାସ୍ତବ ବ୍ୟୁରୋ: ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ରହିଛି।
ବୁଧବାର ପାଇଁ ପାଣିପାଗ ବିଭାଗ ପକ୍ଷରୁ-ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, କେନ୍ଦୁଝର, ବରଗଡ଼, ସୁବର୍ଣ୍ଣପୁର, ଅନୁଗୋଳ ଏବଂ ଦେବଗଡ଼ ଏହି ୬ ଜିଲାକୁ ୟେଲେ ଓ୍ବାର୍ଣ୍ଣିଂ ଜାରି ମଧ୍ୟ ଜାରି ହୋଇଥିଲା। ଉତ୍ତର ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ଅଞ୍ଚଳରେ ସତର୍କ ରହିବାକୁ ପରାମର୍ଶ ଜାରି କରାଯାଇଛି।
ଏନେଇ ସ୍ବତନ୍ତ୍ର ରିଲିଫ କମିସନର(ଏସ୍ଆରସି)ଙ୍କ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଏବଂ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି, ସେଠାକାର ପ୍ରଶାସନ ପରିସ୍ଥିତି ମୁକାବିଲା ପାଇଁ ସତର୍କ ରୁହନ୍ତୁ। ବର୍ଷା ଓ ବଜ୍ରପାତ ସମୟରେ ଲୋକେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରନ୍ତୁ। ଜଳଭର୍ତ୍ତି ଥିବା ସ୍ଥାନକୁ ଯାଆନ୍ତୁ ନାହିଁ। ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଆନ୍ତୁ ନାହିଁ। ବର୍ଷା ପରେ ସ୍ଥାନୀୟ ପ୍ରଶାସନ କ୍ଷୟକ୍ଷତିଜନିତ ରିପୋର୍ଟ ପ୍ରସ୍ତୁତ କରନ୍ତୁ।