ପ୍ରଚାର ଓ ଉତ୍ସବରେ ନ ମାତି ଜୀବନର ମୂଲ୍ୟ ବୁଝନ୍ତୁ ସରକାର: ବିଜେଡି

୧୦୮ ଆମ୍ବୁଲାନ୍ସ ଅବ୍ୟବସ୍ଥା ଯୋଗୁଁ ଯୁବକଙ୍କ ମୃତୁ୍ୟ ଘଟଣା
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସରକାରଙ୍କ ଅପରାଧିକଅବହେଳା: ବିଜେଡି।
ଆମ୍ବୁଲାନ୍ସ ପରିଚାଳନାରେ ସ୍ୱାସ୍ଥ୍ୟ ବିଭାଗର ଚରମ ଦାୟିତ୍ୱହୀନତା ଜୀବନର ମୂଲ୍ୟ ୪ ଲକ୍ଷ ଟଙ୍କା ନୁହେଁ।
ପ୍ରଚାର ଓ ଉତ୍ସବରେ ନ ମାତି ଜୀବନର ମୂଲ୍ୟ ବୁଝନ୍ତୁ ସରକାର।

ଭୁବନେଶ୍ୱର(ନି.ପ୍ର)୦୬/୦୭/: ୧୦୮ ଆମ୍ବୁଲାନ୍ସ ସେବା କ୍ଷେତ୍ରରେ ଚରମ ଅବ୍ୟବସ୍ଥା ଲାଗି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଇତପୁର ଗ୍ରାମର ଶଙ୍କର ମହାରଣା ନାମକ ଏକ ଯୁବକର ମୃତୁ୍ୟ ଘଟଣାରେ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ସରକାରଙ୍କ ଚରମ ଅପରାଧିକ ଅବହେଳାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଭେଟି ଆଶ୍ୱାସନା ଦେଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଗୁରୁବାର ଦିନ କି୍ରକେଟ ଖେଳିବା ସମୟରେ ଛାତିରେ ବଲ୍ ବାଜିବାରୁ ଶଙ୍କର ଯନ୍ତ୍ରଣାରେ ଛଟପଟ ହେଉଥିଲେ । ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର କରିଥିଲେ ସୁଦ୍ଧା ଆମ୍ବୁଲାନ୍ସ ନ ପହଞ୍ଚିବାରୁ ତାଙ୍କୁ ନିଜ ଉଦ୍ୟମରେ ବାଲୁଗାଁ ମେଡ଼ିକାଲକୁ ନେଇଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲୁଗାଁ ମେଡ଼ିକାଲ କର୍ତ୍ତୃପକ୍ଷ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ପଠାଇଥିଲେ । ବ୍ରହ୍ମପୁର ମେଡିକାଲକୁ ଯିବାବେଳେ ଖଲ୍ଲିକୋଟ ନିକଟରେ ୧୦୮ ଆମ୍ବୁଲାନ୍ସ ଖରାପ ହେବା ଯୋଗୁଁ ଶଙ୍କରଙ୍କ ପରିବାର ଲୋକେ ଅନ୍ୟ ଏକ ଆମ୍ବୁଲାନ୍ସ ଓ ପୋଲିସ୍କୁ ସହାୟତା ନିମନ୍ତେ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସାହାଯ୍ୟ ମିଳିନଥିଲା ।

ଖଲ୍ଲିକୋଟ ଜାତୀୟ ରାଜପଥରେ ସହାୟତା ଅପେକ୍ଷାରେ ଶଙ୍କର ଯନ୍ତ୍ରଣାରେ ଛଟପଟ ହେବା ଅବସ୍ଥାରେ ୩ ଘଣ୍ଟା ବିଳମ୍ବରେ ଅନ୍ୟ ଏକ ଆମ୍ବୁଲାନ୍ସକୁ ଦେଖି ସେଥିରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲକୁ ନେଇଥିଲେ । ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଯଦି ଶୀଘ୍ର ରୋଗୀଙ୍କୁ ମେଡ଼ିକାଲରେ ପହଞ୍ଚା ଯାଇଥାନ୍ତା, ତାହେଲେ ଜୀବନ ବଞ୍ଚିଯାଇଥାନ୍ତା ବୋଲି କହିଥିଲେ ।
ରାଜ୍ୟ ସରକାରଙ୍କ ଅପରାଧିକ ଅବହେଳା ଯୋଗୁଁ ଆଜି ଏକ ଅମୂଲ୍ୟ ଜୀବନ ଚାଲିଗଲା ବୋଲି ଆଜି ଆଇତପୁର ଗ୍ରାମରେ ମୃତ ଶଙ୍କରଙ୍କ ପରିବାର ଓ ଗ୍ରାମବାସୀ ବିଜେଡି ପ୍ରତିନିଧି ଦଳ ନିକଟରେ ଅଭିଯୋଗ କରିଥିଲେ । ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଖବର ପହଞ୍ଚିବାର ୨୦ ମିନିଟ୍ ମଧ୍ୟରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ରୋଗୀଙ୍କୁ ହସ୍ପିଟାଲକୁ ନେଉଥିଲା । ହେଲେ ବିଜେପି ସରକାରରେ ଖବର ଦେବାର ୩ ଘଣ୍ଟା ପରେ ବି ଆମ୍ବୁଲାନ୍ସ ପହଞ୍ଚି ପାରିଲା ନାହିଁ ।ଫଳତଃ ଏକ ଅମୂଲ୍ୟ ଜୀବନ ହରାଇବାକୁ ପଡ଼ିଲା।

ମୃତ ଶରୀରକୁ ଏମକେସିଜି ମେଡ଼ିକାଲରୁ ନିଜ ଗ୍ରାମକୁ ନେବା ପାଇଁ ପରିବାରବର୍ଗ ସରକାରୀ ସହାୟତା ମାଗିଥିଲେ ମଧ୍ୟ କେହି ଶୁଣିନଥିଲେ ଏବଂ ନିଜ ହାତରୁ ୫ ହଜାର ଟଙ୍କା ଖର୍ଚ୍ଚ କରି ପରିବାର ଲୋକେ ମୃତଦେହକୁ ଘରକୁ ନେଇଥିଲେ । ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ଗତକାଲି ସୁଦ୍ଧା କୌଣସି ସରକାରୀ ଅଧିକାରୀ ପରିବାର ନିକଟରେ ପହଞ୍ଚି ନଥିଲେ । ବିଜେଡି ପ୍ରତିନିଧି ମଣ୍ଡଳୀ ଯିବାର ଖବର ମିଳିବା ପରେ, ଗତକାଲି ରାତି ୧୧ଟା ସମୟରେ ସରକାର ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ମୃତ ଶଙ୍କର ମହାରଣାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାର ତାଙ୍କ ଭାଇଙ୍କୁ ତୁରନ୍ତ ଏକ ସରକାରୀ ଚାକିରି ଯୋଗାଇ ଦିଅନ୍ତୁ ବୋଲି ବିଜୁ ଜନତା ଦଳର ପ୍ରତିନିଧି ମଣ୍ଡଳୀ ଦାବି କରିଛନ୍ତି ।ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ଯାଇଥିବା ବିଜେଡି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ବିଧାୟକ ସର୍ବଶ୍ରୀ ଡ଼ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଶ୍ରୀ ବିକ୍ରମ ପଣ୍ଡା, ଶ୍ରୀ ସୁବାସ ବେହେରା, ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ, ଶ୍ରୀମତୀ ସୂର୍ଯ୍ୟମଣୀ ବୈଦ୍ୟ, ଶ୍ରୀମତୀ ରଞ୍ଜିତା ସାହୁ, ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଶ୍ରୀ ସୁବାସ ମହାରଣା, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୋନମ ପଲେଇ, ପୂର୍ବତନ ଏନଏସି ଅଧ୍ୟକ୍ଷ ଶ୍ରୀ ରାମମୋହନ ପଣ୍ଡା, ଶ୍ରୀ ଭବାନୀକାନ୍ତ ସାହୁ, ଶ୍ରୀ ପ୍ରଫୁଲ୍ଲ ସାହୁ, ଶ୍ରୀ ରତ୍ନାକର ସାହୁ, ଶ୍ରୀ ଦୟାନିଧି ସାହୁ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଟ୍ୱିଙ୍କିଲ୍ ତରାଇ ପ୍ରମୁଖ ସାମିଲ୍ ଥିଲେ ।

ସେୟାର କରନ୍ତୁ

Next Post

ବିଜେପି ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ...

Sun Jul 6 , 2025
ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ ଓ ୮ରେ ଚୂଡ଼ାନ୍ତ ଫଳାଫଳ ଘୋଷଣା: ଡ.ଯତୀନ ମହାନ୍ତି  ଚୂଡ଼ାନ୍ତ ମତାଦାତାଙ୍କ ସୂଚୀ ପ୍ରକାଶ ନାମାଙ୍କନ ପତ୍ର ଦାଖଲ ଆସନ୍ତା କାଲି ମଧ୍ୟାହ୍ନ ୧୨.୩୦ରୁ ଆରମ୍ଭ ହୋଇ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ହେବ ଏବଂ ନାମାଙ୍କନ ସମ୍ପର୍କିତ ଆପତି ଅଭିଯୋଗର ଯାଂଚ କରାଯାଇ ଅପରାହ୍ନ ୪.୩୦ସୁଦ୍ଧା ଅନ୍ତିମ ସୂଚୀ ପ୍ରକାଶ କରାଯିବ ଭୁବନେଶ୍ୱର(ନି.ପ୍ର)୦୬/୦୭: ରାଷ୍ଟ୍ରୀୟ ନିର୍ବାଚନ ଅଧିକାରୀ ଡ.କେ.ଲକ୍ଷ୍ମଣଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟ […]

You May Like

Pin It on Pinterest