
ଭୁବନେଶ୍ୱର(ନି.ପ୍ର): ଆଜି ଭାରତ ବନ୍ଦ। ସର୍ବଭାରତୀୟ ଧର୍ମଘଟ ଡାକରା ଦେଇଛି ଶ୍ରମିକ ସଂଗଠନ ଓ ବାମପନ୍ଥୀ ଦଳ। ଚକଅଖ ସବୁ ବନ୍ଦ ରହିବ। ବଜାରଘାଟରେ ତାଲା ଝୁଲିବ । ସାମିଲ ହେବେ ବ୍ୟାଙ୍କ ଓ ବୀମା କର୍ମଚାରୀ । ବ୍ୟାପକ ଭାବେ ପ୍ରଭାବିତ ହେବ ଜୀବନଯାତ୍ରା । କଲବଲ ହେବେ ସାଧାରଣ ଜନତା । ୫ ବାମପନ୍ଥୀ ଦଳ ଓ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ (ସିଟିୟୁ) ଓ ସ୍ୱାଧୀନ ସର୍ବଭାରତୀୟ ଫେଡେରେସନକୁ ନେଇ ଗଠିତ ଟ୍ରେଡ୍ ୟୁନିୟନର ମିଳିତ ମଞ୍ଚ ଧର୍ମଘଟର ମଙ୍ଗ ସମ୍ଭାଳିବେ । ଓଡ଼ିଶାରେ ଧର୍ମଘଟକୁ ସଫଳ ପାଇଁ ବି ଆହ୍ୱାନ ଦିଆଯାଇଛି।
ମଙ୍ଗଳବାର ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଶ୍ରମିକ ନେତାମାନେ ଅଭିଯୋଗ କରିଥିଲେ ଯେ ଦେଶରେ ବେକାରୀଙ୍କ ସଂଖ୍ୟା ବଢ଼ିଚାଲିଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରଦାମ ଏବେ ଆକାଶଛୁଆଁ ହେବାରେ ଲାଗିଛି । କିନ୍ତୁ ଶ୍ରମିକଙ୍କ ମଜୁରିର ପରିମାଣ କମିବାରେ ଲାଗିଛି । ଶ୍ରମିକମାନେ ମୌଳିକ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଏହି ଧର୍ମଘଟକୁ ବିଜେଡି ନୀତିଗତ ସମର୍ଥନ ଜଣାଇଛି । ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି, ବିଜୁ ଶ୍ରମିକ ସାମୁଖ୍ୟ ଏହି ଧର୍ମଘଟ ଡାକରାକୁ ସମର୍ଥନ ଜଣାଉଛି । ସାରା ଦେଶରେ ଶ୍ରମିକ ଶୋଷଣ ନୀତିକୁ ଘୋର୍ ବିରୋଧ କରୁଛୁ । ଟ୍ରେଡ୍ ୟୁନିୟନ ଓ ବାମପନ୍ଥୀ ଦଳଗୁଡ଼ିକ ସହ କଂଗ୍ରେସ ଏହି ହରତାଳରେ ସାମିଲ ହେବ ବୋଲି ସୂଚନା ଦେଇଛି । ସୁରକ୍ଷା ଦୃଷ୍ଟିରୁ କମିଶନରେଟ ପୁଲିସ ପକ୍ଷରୁ ୧୦ ପ୍ଲାଟୁନ ପୁଲିସ ଫୋର୍ସ ବ୍ୟବସ୍ଥା କରାଯାଇଛି ।