ବାସ୍ତବ ବ୍ୟୁରୋ: ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ-ପୂର୍ବ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା, ବାଂଲାଦେଶ ଉପକୂଳ ଅଞ୍ଚଳରେ ସକ୍ରିୟ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହା ଆଗାମୀ ୨୪ ଘଣ୍ଟା ଯାଏଁ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ପଶ୍ଚିମବଙ୍ଗ ଆଡ଼କୁ ଗତିକରିବ । ଏହାର ପ୍ରଭାବରେ ଅତି ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି ।
ବଜ୍ରପାତ ସହ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ କୁ ରେଡ୍ ଆଲର୍ଟ ଜାରି । ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବ । ଆଗାମୀ ୨୪ଘଣ୍ଟା ପାଇଁ ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ାକୁ ଅରେଞ୍ଜ ଆଲର୍ଟ ସହ ଅନ୍ୟ ୧୬ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଅବପାତ ପ୍ରଭାବରେ ଆସନ୍ତା ୧୮ଜୁଲାଇ ଯାଏଁ ରାଜ୍ୟରେ ଲାଗିରହିବ ବର୍ଷା । ବିଶେଷକରି ଉତ୍ତର-ପଶ୍ଚିମ ଓଡ଼ିଶାରେ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମହାନଦୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଅବବାହିକାରେ ବର୍ଷା ହେବ । ଯାହା ଫଳରେ ଏହି ସବୁ ନଦୀରେ ବନ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି ।



