ବାସ୍ତବ ବ୍ୟୁରୋ-ଆଜି ସୂଚନା ଓ ଲୋକ ସଂପର୍କ ସଚିବ ସଂଜୟ ସିଂହ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ଉଦ୍ୟମରେ ଏବେ ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆମାନେ ଘରକୁ ଫେରୁଛନ୍ତି । କିନ୍ତୁ ଫେରିବା ବାଟରେ କିଛି ପ୍ରବାସୀ ବସରୁ ଓହ୍ଲାଇ ପଳାୟନ କରୁଛନ୍ତି । ସେମାନେ ଅନ୍ୟମାନଙ୍କୁ ହଇରାଣ ମଧ୍ୟ କରୁଛନ୍ତି । କିନ୍ତୁ ଏବେ ଅଧାବାଟରେ ପ୍ରବାସୀ ଯାତ୍ରୀଙ୍କୁ ବସ ଓହ୍ଲାଇ ପାରିବ ନାହିଁ । ଯଦି କୌଣସି ବସ ପ୍ରବାସୀ ଓଡ଼ିଆଙ୍କୁ ବାଟରେ ଓହ୍ଲାଇବେ, ତା’ହେଲେ ସେ କାର୍ଯ୍ୟାନୁଷ୍ଠାନର ଶିକାର ହେବେ ।
ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଚାହୁଥିବା ଲୋକଙ୍କୁ ରାଜ୍ୟ ସରକାର ଇ-ପାସ ଦେବାର ବ୍ୟବସ୍ଥା କରିଛନ୍ତି । ଏଥି ପାଇଁ ସରକାରଙ୍କ ଦ୍ୱାରା ଖୋଲାଯାଇଥିବା ୱେବସାଇଟରେ ଲଗଇନ୍ କରି ଯେକୌଣସି ବ୍ୟକ୍ତି ସେମାନଙ୍କର ନାମ ପଂଜୀକରଣ କରପାରିବେ । ଏହି ପଂଜୀକରଣ ମାଧ୍ୟମରେ ଇ-ପାସ ପ୍ରଦାନ କରାଯିବ । ଏସ୍ଏମ୍ଏସ୍ ଓ ଇ-ମେଲ ମାଧ୍ୟମରେ ଏହି ପାସ ଦିଆଯିବ ।
ଶ୍ରୀ ସିଂହ କହିଛନ୍ତି, ଆଜି ମୋଟ ୪ ହଜାର ୨୨୫ ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି । ସେହିଭଳି ଏପର୍ଯ୍ୟନ୍ତ ୩୯ ହଜାର ୭୬୫ ଜଣ ପ୍ରବାସୀ ଫେରିଛନ୍ତି । ଏମାନେ ସମସ୍ତେ ବସ, ଟ୍ରେନ ଓ ଅନ୍ୟ ଯାନବାହାନରେ ଫେରିଛନ୍ତି । ରାଜ୍ୟ ସରକାର ୬ ହଜାର ୭୯୮ଟି ପଂଚାୟତରେ ୧୨ ହଜାର ୪୧୬ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୫ ଲକ୍ଷ ଶଯ୍ୟାର ବ୍ୟବସ୍ଥା କରିଛନ୍ତି । ସେହିପରି ମେ’ ୬ ସକାଳ ଠାରୁ ମେ’ ୭ ସକାଳ (୨୪ ଘଣ୍ଟା) ମଧ୍ୟରେ ୨୪ଟି ମାମଲା ରୁଜୁ କରିଛନ୍ତି । ଏଥିରୁ ୨୩ ଲକଡାଉନ ଉଲଂଘନ ଓ ଗୋଟିଏ ହୋମ କ୍ୱାରେଣ୍ଟାଇନ ନିୟମ ଉଲଂଘନ ମାମଲା ରହିଛି । ବିଭିନ୍ନ ଅଭିଯୋଗରେ ମୋଟ ୫୪ଜଣଙ୍କୁ ଗିରଫ କରାଯାଇଛି ।