
ସଂଜୟ ଶତପଥୀ(କଟକ): ଶ୍ରୀଜଗନ୍ନାଥ ପାଟରାକ୍ଷୀ ବିକାଶ ପରିଷଦ ଆନୁକୁଲ୍ୟରେ ମାଆ ସୁଭଦ୍ରାଙ୍କ ଠାରୁ ପ୍ରେରିତ ପାଟ ରାକ୍ଷୀ ଶ୍ରୀକ୍ଷେତ୍ର ଧାମରୁ ତୁଳସୀ କ୍ଷେତ୍ର ବଳଭଦ୍ର ଜୀଉଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାଶୋଭାଯାତ୍ରା ସହିତ ପାଳିତ ହୋଇଯାଇଅଛି।
ପୂର୍ବଦିନ ଗୋବର୍ଦ୍ଧନ ମଠରୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଭଗବାନଙ୍କ କରକମଳରେ ଏହି ପାଟରାକ୍ଷୀ ଶୁଭାରମ୍ଭ ହୋଇ ଶ୍ରୀମନ୍ଦିର ନିକଟରୁ ଯାତ୍ରା ଆରମ୍ଭ ହୋଇଛି। ସର୍ବପ୍ରଥମେ ପ୍ରତାପ ନଗରୀ ମାଆ ଧାକୁଲେଇ ପୀଠରେ ପାଟରାକ୍ଷୀ ବିଶ୍ରାମ ନେଇଥିଲେ। ସେଠାରେ ଧାକୂଲେଇ ପୀଠର ସଭାପତି ପ୍ରମୋଦ କୁମାର ବେହେରା ଓ ପୀଠର ଅନ୍ୟସଭ୍ୟମାନେ ଭବ୍ୟ ସ୍ବାଗତ କରି ପାଟରାକ୍ଷୀ ବିକାଶ ପରିଷଦର କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ।
ସେଠାରୁ ସେବାୟତ, ଭକ୍ତ ଓ ପରିଷଦର ସଭ୍ୟମାନଙ୍କ ଗହଣରେ କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ର ଅଭିମୁଖେ ଏହି ଯାତ୍ରା ବାହାରିଥିଲା। ଶ୍ରୀମନ୍ଦିର ପୁରୀ ମାଆ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ନେତୃତ୍ବରେ ଏହି ଭବ୍ୟ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳନା କରାଯାଇଥିଲା। ପରିଷଦର ସମ୍ପାଦକ ଡଃ ଶୁଭେନ୍ଦୁ ସ୍ୱାଇଁ ମଧ୍ୟ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ହାଇଟେକ୍ ମେଡିକାଲ୍ କଲେଜ କର୍ତୃପକ୍ଷ ଶ୍ରୀଯୁକ୍ତ ସୁରେଶ ପାଣିଗ୍ରାହୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ସହଯୋଗୀ ଅନୁଷ୍ଠାନ ଭାବେ ଶ୍ରୀଜଗନ୍ନାଥ ଚେତନା ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ପୁରୀ ତରଫରୁ ଡଃ ପ୍ରଭୁ ଚରଣ ମହାନ୍ତି, ସ୍ନିଗ୍ଧା ମହାନ୍ତି, ଲିଙ୍ଗରାଜ ପତି ମଧ୍ୟ ଏହି ଯାତ୍ରାରେ ସହଯୋଗ କରିଥିଲେ। ଅନୁଷ୍ଠାନ ସଭାପତି ଦୁର୍ଯୋଧନ ସାହୁଙ୍କ ଅବର୍ତ୍ତମାନରେ ତାଙ୍କ ପୁତ୍ର ଦ୍ୱୟ ହିମାଂଶୁ ସାହୁ ଓ ଶୁଭ୍ରାଂଶୁ ସାହୁ ଏହି କାର୍ଯ୍ୟକ୍ରମ ସୂଚାରୁରୂପେ ବହନ କରିଥିଲେ। ବଳଭଦ୍ର ମନ୍ଦିର ଟ୍ରଷ୍ଟି ତଥା ସେବକ ବଳଭଦ୍ର ପତ୍ରି, ପଣ୍ଡିତ ହୃଷିକେଶ ରଥ ମଧ୍ୟ ସେଠାରେ ସହଯୋଗ କରି ପାଟରାକ୍ଷୀଙ୍କୁ ସମ୍ମାନ ଦେଇ ମହାପ୍ରଭୁଙ୍କ ନିମନ୍ତେ ପାଟରକ୍ଷୀକୁ ପାଛୋଟି ନେଇଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଅଗଣିତ ଭକ୍ତ ସମାଜକୁ ମଧ୍ୟ ବଡ଼ଠାକୁରଙ୍କ ପ୍ରସାଦ ସେବନ କରାଇଥିଲେ ଏବଂ ପ୍ରସିଦ୍ଧ ରସାବଳି ପ୍ରଦାନ କରିଥିଲେ।
ଏଭଳି ଓଡିଆ ପରମ୍ପରାକୁ ମହାପ୍ରଭୁ ଆପଣେଇ ନେଇ ଭାଇ ଭଉଣୀଙ୍କ ପବିତ୍ର ବନ୍ଧନ ଓ ଅତୁଟ ପବିତ୍ର ସମ୍ପର୍କକୁ ସବୁଦିନ ବଜାୟ ରଖିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ବ। ସମସ୍ତେ ଏହି ଭବ୍ୟ କାର୍ଯ୍ୟକ୍ରମରେ ସହଯୋଗ ଏବଂ ଅଂଶ ଗ୍ରହଣ କରିଥିବାରୁ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଆଶିଷ କୁମାର,ଜାନକୀ ଦେଇ, ସତ୍ୟବ୍ରତ ସାହୁ, ବାଦଲ ଲେଙ୍କା, ସୁକାନ୍ତ ବେହେରା ପ୍ରମୁଖ ଯୋଗଦାନ କରିଥିଲେ।