
ଭୁବନେଶ୍ୱର(ନି.ପ୍ର):ସାଧାରଣତଃ ରାଜ୍ୟରେ ଦୁର୍ଗାପୂଜା ପୂର୍ବରୁ ନିର୍ବାଚନ କରାଯିବାର ପରମ୍ପରା ଥିବାବେଳେ ଏଯାବତ୍ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ନପାଇବା ନେଇ ଆଶାୟୀ ପ୍ରାର୍ଥୀ ଓ ଛାତ୍ର ସଙ୍ଗଠନ ଗୁଡିକ ଚିନ୍ତାରେ ପଡିଛନ୍ତି। ବିଭାଗ ପକ୍ଷରୁ ୨୦୨୫- ୨୬ ଶିକ୍ଷାବର୍ଷର କ୍ୟାଲେଣ୍ଡର ମଧ୍ୟ ପ୍ରକାଶ କରାଯାଇନାହିଁ।
ରାଜ୍ୟରେ ବିଜେପି ସରକାର ଆସିବା ପରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଘୋଷଣା ହୋଇଥିଲା। ପୂର୍ବ ବର୍ଷ କେତେକ ସମସ୍ୟା ପାଇଁ ନିଷ୍ପତ୍ତି ଅଟକି ଥିଲା। ବିଜେଡି ଶାସନ କାଳରେ ପ୍ରଥମେ ବିଶୃଙ୍ଖଳା ଏବଂ ପରେ କରୋନାକୁ ଆଳ କରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖାଯାଇଥିଲା। ୨୦୧୮ରେ ‘ଘୂର୍ଣ୍ଣିବାତ୍ୟା’ ତିତିଲି ପାଇଁ ନିର୍ବାଚନ ବନ୍ଦ କରାଯାଇଥିଲା। ବିଜେଡି ଶାସନ କାଳରେ ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ହୋଇନି। ବିଜେପି ସରକାରକୁ ଆସିବା ପରେ ୨୦୨୪ରେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହୋଇ ନଥିଲା।
ରାଜ୍ୟରେ ୨୦୧୮- ୧୯ ଶିକ୍ଷାବର୍ଷରୁ ପ୍ରାୟ ୭ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। ୨୦୨୫ରୁ ଛାତ୍ର ସଂସଦ ନିର୍ବାଚନ କରାଯିବ ବୋଲି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ କଟକର ଜବାହରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମରେ ଆୟୋଜିତ ରାଜ୍ୟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ନିର୍ବାଚନ ନେଇ ପୂର୍ବରୁ ଘୋଷଣା କରିଥିଲେ। ମାତ୍ର ଉଚ୍ଚଶିକ୍ଷା ବିଭାଗ ନିର୍ବାଚନ ନେଇ ବହୁବାର ଚର୍ଚ୍ଚା, ଆଲୋଚନା କରିଥିବା ବେଳେ କୌଣସି ନିଷ୍ପତ୍ତିରେ ପହଞ୍ଚି ପାରୁନଥିବା ଜଣାପଡିଛି।
ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶକୁ ଅପେକ୍ଷା କରିରହିଛନ୍ତି। ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମାହୁତି ନେଇ କ୍ୟାମ୍ପସରେ ଉଷ୍ଣତା ବଢ଼ିଥିବା ବେଳେ ନିର୍ବାଚନ ପୂର୍ବରୁ କେତେକ ଶିକ୍ଷାନୁଷ୍ଠାନରେ ପ୍ରାକ ନିର୍ବାଚନୀ ହିଂସା ଦେଖାଦେଇଛି। ଜଗତ୍ସିଂହପୁର ଏସ୍ଭିଏମ୍ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି।କ୍ୟାମ୍ପସରେ ଶୈକ୍ଷିକ ପରିବେଶ ବଜାୟ ରଖି ନିର୍ବାଚନ କରାଯିବା ଉପରେ ବରିଷ୍ଠ ଶିକ୍ଷାବିତ୍ ମାନେ ଗୁରୁତ୍ୱ ଦେଇଛନ୍ତି।