
ବରଗଡ଼୨୮/୦୮(ନବୀନ କୁମାର ଦାଶ):ଯେହେତୁ ଭାରତ ବର୍ଷ ଏକ କୃଷି ପ୍ରଧାନ ଦେଶ ତେଣୁ ଆମ ରାଜ୍ୟ ଓଡ଼ିଶାର ମଧ୍ୟ ଶତକଡା ୯୦ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ ଥିବାରୁ ବିଶେଷକରି ପଶ୍ଚିମ ଓଡ଼ିଶାବାସୀଙ୍କ ମୂଖ୍ୟ ଜୀବିକା ଏହି କୃଷି ଅଟେ।ଏଠାରେ କୃଷିଜାତ ଅନ୍ନକୁ ମାଁ ଲକ୍ଷ୍ମୀ,ଅନ୍ନପୂର୍ଣ୍ଣା ଙ୍କ ଅବତାର ଭାବେ ମାନ୍ୟତା ଦିଆଯାଏ ଏବଂ ଏହି ଅନ୍ନକୁ ପୂଜା କରି ପ୍ରଥମେ ଇଷ୍ଟଦେବା ଦେବୀଙ୍କୁ ଅର୍ପଣ କରି ତାପରେ ନିଜେ ଗ୍ରହଣ କରିବା ବିଧି ତଥା ପରମ୍ପରା ଐତିହାସିକ ଅମଳରୁ ଚାଲିଆସିଛି।
ଏହି ନୂଆଁ ଅନ୍ନକୁ ପୂଜାକରି ଗ୍ରହଣ କରିବା ବିଧିକୁ ନବାନ୍ନ ଭକ୍ଷଣ ବା ନୂଆଁ ଖାଇ ବୋଲି ଆଖ୍ୟା ଦିଆଯାଇ ଥାଏ।ପ୍ରଥମ ଫସଲର ନୂଆଁ ଧାନ କେଣ୍ଡା ଏବଂ ନୂଆଁ ଚୂଡା କୁ ଭୋଗ ଲଗାଯାଇଥାଏ।ଏହି ପର୍ବ ଆବାହମାନ କାଳରୁ ପାଳିତ ହୋଇଆସୁଛି।ଓଡ଼ିଶାର ଅବିଭକ୍ତ କଳାହାଣ୍ଡି,ବଲାଙ୍ଗୀର,ବରଗଡ଼,ସମ୍ବଲପୁର,ଝାରସୁଗୁଡ଼ା,ସୁନ୍ଦରଗଡ଼,ସୋନପୁର,ବୌଦ,ଦେବଗଡ଼, ନୂଆପଡ଼ା ସମେତ ଛତିଶଗଡ଼ର ଅନେକ ଜିଲ୍ଲାରେ ଏହି ନୂଆଁଖାଇ ପର୍ବ ଖୁବ୍ ଧୁମଧାମରେ ପ୍ରତିବର୍ଷ ଭାଦ୍ରବ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳିତ ହୋଇଥାଏ।ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ଭାଷାରେ-କୃଷି ସିନା ସଂସା ରେ ସଭ୍ୟତାର ଚୂଳ,କୃଷି ଏକା ସକଳ ଜୀବିକାର ମୂୂଳ ।
ପଶ୍ଚିମ ଓଡ଼ିଶା ଶକ୍ତିପୀଠ ଭାବେ ପରି ଚିତ ଥିବାରୁ ଏଠାରେ ଦେବୀ ବା ମାତୃଶକ୍ତି ମୁଖ୍ୟ ଭାବେ ପୂଜା ପାଇଥାନ୍ତି।କଳାହାଣ୍ଡି ରେ ମାଣିକେଶ୍ଵରୀ,ସମ୍ବଲପୁରରେ ସମଲେଶ୍ଵରୀ,ସୋନପୁରରେ ସୁରେଶ୍ଵରୀ ଆଦି ଦେବୀଙ୍କ ପୀଠ ରେ ପ୍ରଥମେ ନବାନ୍ନ ଭୋଗ ଲାଗି ହେବା ପରେ ସେହି ପ୍ରସାଦ ନୂଆଁ ଅନ୍ନକୁ ସମସ୍ତେ ଗ୍ରହଣ କରିଥାନ୍ତି। ଏହି ଦିନ ଶୁଦ୍ଧପୂତ ମନରେ ନୂତନ ବସ୍ତ୍ର ପରିଧାନ କରି ନୂଆଁ ଖାଇ ସାରିବା ପରେ ପ୍ରଥମେ ଇଷ୍ଟଦେବୀ ଓ ପରେ ପରିବାରର ଛୋଟରୁ ବଡ ପର୍ଯ୍ୟାୟରେ ଜୁହାର ପର୍ବ ଆରମ୍ଭ ହୋଇଥାଏ। ଯେଉଁଥିରେ ବଡ଼ ମାନେ ସାନ ମାନଙ୍କୁ ସୁଖ ଶାନ୍ତି କାମନା ସହ ଶୁଭାଶିର୍ବାଦ ପ୍ରଦାନ କରିଥାନ୍ତି। ପ୍ରସିଦ୍ଧ ଏହି ନୂଆଁଖାଇ ପର୍ବଟି ଭାଇଚାରା ଏବଂ ସମସ୍ତଙ୍କୁ ଏକତ୍ରିତ ହୋଇ ରହିବାର ମହାନ୍ ବାର୍ତ୍ତା ଦେଇଥାଏ।