କଥାକାର ଦେବଦାସ ଛୋଟରାୟ ପାଇବେ ଶାରଳା ପୁରସ୍କାର

ବାସ୍ତବ ବ୍ୟୁରୋ : କଥାକାର ଦେବଦାସ ଛୋଟରାୟ ପାଇବେ ଶାରଳା ପୁରସ୍କାର ୨୦୨୩ ମସିହାରେ ଟାଇମପାସ୍‍ ପ୍ରକାଶନୀ ଦ୍ୱାରା ପ୍ରକାଶିତ ତାଙ୍କ ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ସେ ଏହି ପୁରସ୍କାର ଲାଭ କରିବେ । ଆଗାମୀ ଅକ୍ଟୋବର ୨୬ ତାରିଖରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଲେଖକଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ସାତ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । 

ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟର ପୁସ୍ତକ ଗୁଡ଼ିକ ଥିଲା ଦେବଦାସ ଛୋଟରାୟଙ୍କ ଗଳ୍ପ ସଂକଳନ ‘ମ୍ୟାଟିନି ସୋ’, ଅପର୍ଣ୍ଣା ମହାନ୍ତିଙ୍କ କବିତା ସଂକଳନ ‘ଅପର୍ଣ୍ଣା ମହାନ୍ତିମାନଙ୍କ ପାଇଁ କବିତା’, ମମତା ଦାଶଙ୍କ କବିତା ସଂକଳନ ‘ଭୂମି ସ୍ପର୍ଶ’, ପଦ୍ମଜ ପାଳଙ୍କ ଉପନ୍ୟାସ ‘ସୀତା ମୁଁ ସୀତା’, ପଦ୍ମଜ ପାଳଙ୍କ ଗଳ୍ପ ସଂକଳନ ‘ଡାହାଣ ପାଦ ବାମ ପାଦ’, ଆଶୁତୋଷ ପରିଡ଼ାଙ୍କ କବିତା ସଂକଳନ ‘ବିଶ୍ୱାସ ଦେ ପୃଥ୍ୱୀ’, ବିଜୟ କୁମାର ଶତପଥୀଙ୍କ ନାଟକ ‘ଅନ୍ଧାରର ବିଭୀଷିକା’ । 

ଏଥିସହିତ କଳା କ୍ଷେତ୍ରରେ ଜୀବନବ୍ୟାପି ସାଧନାର ଉତ୍କର୍ଷ ପାଇଁ ପ୍ରତିବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ‘ଇଲାବଂଶୀଧର ପଣ୍ଡା କଳା ସମ୍ମାନ’ ମଧ୍ୟ ୨୦୨୫ ମସିହା ପାଇଁ ଘୋଷିତ ହୋଇଛି । ବିଶିଷ୍ଟ ଚିତ୍ରଶିଳ୍ପୀ ବଳଦେବ ମହାରଥା ଏବଂ ସଂଗୀତ ଗୁରୁ ରାମହରି ଦାସଙ୍କୁ ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ବାବଦରେ ଉଭୟଙ୍କୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯିବ । ସଙ୍ଗୀତ ବିଭାଗରେ ଆଦ୍ୟାଶା ଦାସ, ସୁଜାତା ମହାପାତ୍ର, ସଙ୍ଗୀତା ପଣ୍ଡା ଏବଂ ଚିତ୍ରକଳା ବିଭାଗରେ ପଞ୍ଚମୀ ମାନୁ ଉକିଲ, ସୁଦର୍ଶନ ପଟ୍ଟନାୟକ ଓ ପ୍ରଦୋଷ ସ୍ୱାଇଁ ବିଚାରକ ଥିଲେ ।

ସୂଚନା ଥାଉକି, ବିଶିଷ୍ଟ ଶିଳ୍ପପତି ବୈଜ୍ଞାନିକ ଡ. ବଂଶୀଧର ପଣ୍ଡା ଓ ତାଙ୍କର ସହଧର୍ମିଣୀ କଳାବିଦୁଷୀ ଇଲା ପଣ୍ଡାଙ୍କର କଳାତ୍ମକ ଚେତନାର ଫଳଶ୍ରୁତି ହେଉଛି ଶାରଳା ପୁରସ୍କାର ଉତ୍ସବ । ୧୯୮୦ ମସିହାରୁ ପ୍ରଦାନ କରାଯାଇ ଆସୁଥିବା ଶାରଳା ପୁରସ୍କାର ୪୫ ବର୍ଷ ଧରି ଏହାର ଅଭିଯାତ୍ରା ଜାରି ରଖିଛି । 

ସେୟାର କରନ୍ତୁ

Next Post

"ସାଢେ଼ ୪ ଘଣ୍ଟା ପରେ ଶିକ୍ଷା ବିଭାଗ ର ନିଦ ଭାଙ୍ଗିଲା"

Tue Sep 16 , 2025
ଶିକ୍ଷକ ମାନଙ୍କ ଗଣ୍ଡଗୋଳ କୁ ନେଇ ପାଠପଢା ରୁ ବଞ୍ଚିତ ଛାତ୍ରଛାତ୍ରୀ ପ୍ରତିଶ୍ରୁତି ପରେ ଧାରଣା ରୁ ଓହରିଲେ ବରଗଡ଼ ୧୬.୦୯.୨୦୨୫(ନବୀନ କୁମାର ଦାଶ): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁମେଲ୍ ସିଂହା ପଞ୍ଚାୟତ ଅଧିନରେ ଥିବା ଦଧିବାମନ ଉଚ୍ଚ ବିଦ୍ୟାଳୟ ରେ ଦୀର୍ଘ ମାସ ହେଲା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ସହ ଶିକ୍ଷକ ମାନଙ୍କ ମନ ମତାନ୍ତର ହେବା ଯୋଗୁଁ ଛାତ୍ରଛାତ୍ରୀ ଙ୍କ ପାଠପଢା ବାଧାପ୍ରାପ୍ତ […]

You May Like

Pin It on Pinterest