
ବରଗଡ଼/ପାଇକମାଲ୧୩/୧୦(ନବୀନ ଦାଶ):ବରଗଡ଼ ଜିଲ୍ଲା ଅନ୍ତର୍ଗତ ପାଇକମାଲ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ବରିହା ଓରଫ ବାରିକ ଙ୍କୁ ଆଜି ପାଇକମାଲ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ଜାତି ପ୍ରମାଣପତ୍ର ଜାଲିଆତି ଅଭିଯୋଗରେ ଗିରଫ ହୋଇଥିବା ବେଲେ ତାଙ୍କ ନାମରେ ପାଇକମାଲ ଥାନା ରେ ଅନେକ ଗୁଡ଼ିଏ ହାଫ ମର୍ଡର ଭଳି ସଙ୍ଗୀନ ମାମଲା ରହିଛି । ପ୍ରାପ୍ତ ସୂଚନାନୁଯାୟୀ, ଗତ ୨୦୨୨ ରେ ହୋଇଥିବା ତ୍ରିସ୍ତରୀୟ ନିର୍ବାଚନ ରେ କାଂସଡ଼ା ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଭାବେ ସଞ୍ଜୀବ ବରିହା ଓରଫ ବାରିକ ନିର୍ବାଚନ ଜିତିବା ସହ ପାଇକମାଲ ବ୍ଲକ ଉପାଧ୍ୟକ୍ଷ ପଦରେ ଥିଲେ । କାଂସଡ଼ା ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟ ପଦବୀ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଥିଲା ।
ତେଣୁ ସଞ୍ଜୀବ ସମିତି ସଭ୍ୟ ନିର୍ବାଚନ ଲଢ଼ିବା ପାଇଁ ତାଙ୍କର ଜାତି ସାର୍ଟିଫିକେଟ କୁ ଜାଲିଆତି କରି ଅନୁସୂଚିତ ଜନଜାତି କରି ନାମାଙ୍କନ ଭରିବା ସହ ନିର୍ବାଚନ ଜିତି ବର୍ତ୍ତମାନ ବ୍ଲକ ଉପାଧ୍ୟକ୍ଷ ପଦବୀରେ ଥିଲେ । ହେଲେ ପ୍ରକୃତରେ ସେ ହେଉଛନ୍ତି ପଛୁଆ ବର୍ଗ ଜାତିର । ଏ ବିଷୟରେ ଖବର ପାଇବା ପରେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ଜାତି ଜାଲିଆତି ବିଷୟରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ସହ ପାଇକମାଲ ବ୍ଲକ ସମ୍ମୁଖରେ ଧାରଣା ମଧ୍ୟ ଦେଇଥିଲେ । ଏହା ପରେ ମଧ୍ୟ ସମାଧାନ ହୋଇ ନ ଥିଲା ଯଦ୍ୱାରା ଉପଜିଲ୍ଲାପାଳ ପଦ୍ମପୁର ଙ୍କ ସମ୍ମୁଖରେ ଅନଶନ ମଧ୍ୟ କରାଯାଇଥିଲା । ଏହା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା । ପରେ ରାଜ୍ୟ ସ୍ତରୀୟ ଯାଞ୍ଚ କମିଟିକୁ ଲିଖିତ ଅଭିଯୋଗ କରିଥିଲେ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ବରଗଡ଼ ଜିଲ୍ଲା ସଭାପତି ଗୋବିନ୍ଦ ବରିହା ।
ରାଜ୍ୟ ସ୍ତରୀୟ ଯାଞ୍ଚ କମିଟିର ନିର୍ଦ୍ଦେଶ ରେ ଜିଲ୍ଲା ମଙ୍ଗଳ ଅଧିକାରୀ ମଳୟ କୁମାର ସତପଥୀ ତା.୦୯.୧୦.୨୦୨୫ ରେ ପାଇକମାଲ ଥାନାରେ ସଂଜୀବ ଙ୍କ ନାମରେ ଜାତି ପ୍ରମାଣ ପତ୍ର ଜାତିଆତି କୁ ନେଇ ଅଭିଯୋଗ କରିଥିଲେ । ପାଇକମାଲ ପୋଲିସ ଅଭିଯୁକ୍ତ କୁ ପାଇକମାଲ କେଶ ନଂ ୨୩୯/୨୫ ର ବିଏନଏସ ର ଧାରା ୩୧୮(୨) ,୩୩୬(୧), ୩୩୬(୩),୩୪୦(୨),୩୪୧(୧),୩୪୧(୨) ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।
ତେବେ ଏ ଖବର ପାଇବା ପରେ ପାଇକମାଲ ବ୍ଲକ ତଥା ଜିଲ୍ଲା ରେ ଥିବା ନକଲି ଆଦିବାସୀ ଙ୍କ ମନରେ ଛନକା ପଶିଯାଇଛି । ଏମିତି ନକଲି ଆଦିବାସୀ ମାନେ ଅସଲିଙ୍କ ହକ ଅଧିକାର କୁ ଛଡାଇ ନେଉଛନ୍ତି । ଏମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ନକଲି ମାନଙ୍କ ମଧ୍ୟ ରେ ଭୟ ର ବାତାବରଣ ସୃଷ୍ଟି ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।



