
ବାସ୍ତବ ବ୍ୟୁରୋ-ମେ ୨୦ରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା । ମାଟ୍ରିକ୍ ଖାତା ମୂଲ୍ୟାୟନ ନେଇ ଚାଲିଥିବା ବୈଠକ ପରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀ ଓ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରମାଶିଷ ହାଜ୍ରାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସୂଚନା ଅନୁଯାୟୀ, ମେ ୧୯ ତାରିଖ ସୁଦ୍ଧା ଖାତାଦେଖାରେ ନିୟୋଜିତ ଶିକ୍ଷକମାନେ ସବୁ କେନ୍ଦ୍ରରେ ପହଞ୍ଚିବେ । ଏହି ସମୟରେ ସାମାଜିକ ଦୂରତା ପାଳନ କରି ୬୦ଟି କେନ୍ଦ୍ରରେ ଖାତା ମୂଲ୍ୟାଙ୍କନ କରାଯିବ ।

କଣ୍ଟେନମେଣ୍ଟ ଜୋନରେ ଯଦି କୌଣସି ଖାତା ଦେଖା କେନ୍ଦ୍ର ଥାଏ, ତା’ହେଲେ ବୋର୍ଡ ନିଷ୍ପତ୍ତି ନେଇ କାର୍ଯ୍ୟ କରିବ | ନିୟୋଜିତ ଶିକ୍ଷକମାନଙ୍କୁ ପ୍ରୋତ୍ସାହନ ରାଶି ମିଳିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଜୁଲାଇ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବା ପାଇଁ ଚେଷ୍ଟା କରାଯିବ ବୋଲି ବି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।