ମାନବବାଦର ମହନୀୟ ଉଚ୍ଚାରଣ ହିଁ ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ଗଳ୍ପର ମର୍ମସ୍ବର…

ବରଗଡ଼୨୯/(ନବୀନ କୁମାର ଦାଶ):ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପ ସାମାଜିକ ପ୍ରତିବଦ୍ଧତାର ମାର୍ମିକ ଉଚ୍ଚାରଣ। ବ୍ୟକ୍ତି ନୁହେଁ ଗୋଷ୍ଠୀ ର ବିକାଶ ପରିପ୍ରକାଶ ହିଁ ଏହାର ବ୍ୟାପ୍ତି ଓ ଦୀପ୍ତି। ଜାତୀୟ ଜୀବନ ର ଜୟଗାନ ହେଉଛି ତାର ଉଦ୍ଘୋଷିତ ମନ୍ତ୍ର।ସର୍ବୋ ପରି ମାନବବାଦର ମହନୀୟ ଉଚ୍ଚାରଣ ହିଁ ସ୍ବାଧୀନତା ପୂର୍ବ ବର୍ତ୍ତୀ ଓଡ଼ିଆ ଗଳ୍ପର ମର୍ମ ସ୍ବର ବୋଲି ବରଗଡ଼ ପଞ୍ଚାୟତ ମହା ବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

“ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପର ଗତି ଓ ପ୍ରବୃତ୍ତି” ଶୀର୍ଷକ ଏହି ଆଲୋଚନା ଚକ୍ର ରେ ସଭାପତିତ୍ବ କରିଥିଲେ ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ଶେଷନ ବିଶି।ସମ୍ପାନର ମୁଖ୍ୟ ଅତିଥି ପ୍ରଫେସର ଡ଼ଃ ଉମେଶ ଚନ୍ଦ୍ର ମହାପାତ୍ର ଓ ବିଷୟ ବିଶେଷଜ୍ଞ ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହା ବିଦ୍ୟାଳୟ,ସମ୍ବଲପୁରର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ଶ୍ୟାମ ଭୋଇ ବାଗଦେବୀ ସରସ୍ଵତୀଙ୍କ ପ୍ରତିଛବିରେ ପୁଷ୍ପ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ।

ପ୍ରଥମେ ଅତିଥିଗଣ ଓଡ଼ିଆ ବିଭାଗର ପ୍ରାଚୀର ପତ୍ରିକା “ଅନ୍ୱେଷା “କୁ ଉନ୍ମୋଚନ କରିଥିଲେ।ପାଠଚକ୍ର ସମ୍ପାଦକ ଚିରନ୍ତନ ଦାଶ ସମସ୍ତ ଙ୍କୁ ସ୍ବାଗତ କରିବା ପରେ ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ଥିଲେ ଅଧ୍ୟାପକ ଶାନ୍ତନୁ ସୁନା। ଆଲୋଚନା ଚକ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଡଃ ସ୍ମିତା ପାଣିଗ୍ରାହୀ।ପରେଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ପ୍ରେମ ଓ ବିଦ୍ରୋହର କବି ସ୍ବର୍ଗତ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ।

ଆଲୋଚନା ଚକ୍ରରେ ଭିତ୍ତିପ୍ରବନ୍ଧ ପାଠ କରିଥିଲେ ସ୍ନାତକୋତ୍ତର ତୃତୀୟ ପର୍ଯ୍ୟାୟର ଛାତ୍ର ଶ୍ରୀମାନ ଚିରନ୍ତନ ଦାଶ,ଉତ୍ତମ ସାହୁ ଏବଂ ଛାତ୍ରୀ ଆଶା ସାହୁ। ମୁଖ୍ୟ ଅତିଥି ଡଃ ମହାପାତ୍ର ପାଶ୍ଚାତ୍ୟ ଜଗତର ଗଳ୍ପଧାରା ଉପରେ ଆଲୋଚନା କରି କାଳଜୟୀ ଗଳ୍ପମାନ ପାଠ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରବର୍ତ୍ତାଇ ଥିବା ବେଳେ ସମ୍ମାନିତ ଅତିଥି ମାନଭଞ୍ଜନ ପାଣିଗ୍ରାହୀ ପ୍ରଭାବଶାଳୀ ଗଳ୍ପର ସ୍ଵରୂପ ସମ୍ପର୍କରେ ଆଲୋଚନା କରି ଥିଲେ।ବିଷୟ ବିଶେଷଜ୍ଞ ଡକ୍ଟର ଭୋଇ ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ଗଳ୍ପର ପୃଷ୍ଠଭୂମି, କାଳୋତ୍ତୀର୍ଣ ଗଳ୍ପର ଧର୍ମ ଓ ଭାବଧାରା ଉପରେ ଆଲୋକ ପାତ କରିଥିଲେ।

ସଭାପତିଙ୍କ ଅଭିଭାଷଣରେ ଡକ୍ଟର ଶେଷନ ବିଶି ସ୍ବାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ଗଳ୍ପର ଗତି ଓ ପ୍ରବୃତ୍ତି ସୁଦୂରପ୍ରସାରୀ ଏବଂ ପ୍ରେରଣା ପ୍ରଦ ବୋଲି ମତବ୍ୟକ୍ତ କରି ଥିଲେ।ଆଲୋଚନା ଚକ୍ରରେ ଓଡ଼ିଆ ବିଭାଗର ଅଧ୍ୟାପକ ଡଃ ଅନନ୍ତ ମେହେର, ଯୋଗେନ୍ଦ୍ର ମେହେର ଓ ଅଧ୍ୟାପିକା ଡଃ ସୁନୀତା ବେହେରା ମଧ୍ୟ ଅଂଶ ଗ୍ରହଣ କରିଥିବା ବେଳେ ଓଡ଼ିଆ ସ୍ନାତକ ଓ ସ୍ନାତକୋତ୍ତର ବିଭାଗ ର ଛାତ୍ରଛାତ୍ରୀ।ପ୍ରଶ୍ନୋତ୍ତର କାର୍ଯ୍ୟ କ୍ରମରେ ଭାଗ ନେଇଥିଲେ।

ପ୍ରାରମ୍ଭିକ ଓ ଅନ୍ତିମ ସଙ୍ଗୀତ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ମାନେ ଗାନ କରିଥିବା ବେଳେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ପାଠଚକ୍ର ସହ ସମ୍ପାଦିକା କସ୍ତୁରୀ ସାହୁ।

ସେୟାର କରନ୍ତୁ

Next Post

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫:ଆୟୋଜିତ ହେଲା ସଚେତନତା ରାଲି...

Wed Oct 29 , 2025
ବରଗଡ଼୨୯/୧୦(ନବୀନ କୁମାର ଦାଶ):ଦୁର୍ନୀତି ନିବାରଣ ସଚେତନତା ସପ୍ତାହ- ୨୦୨୫ ପାଳନ ଅବସରରେ ଜିଲ୍ଲା ପ୍ରସାଶନ ଏବଂ ଦୁର୍ନୀତି ନିବାରଣ ବିଭାଗର ମିଳିତ ଉଦ୍ୟମରେ ଜିଲ୍ଲା,ବ୍ଲକ,ପଞ୍ଚାୟତ ଏବଂ ଗ୍ରାମାଞ୍ଚଳ ସ୍ତରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ସଦର ମହକୁମାଠାରେ ଜନ ସାଧାରଣଙ୍କୁ ସଚେତନ କରିବା ପାଇଁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ଆରକ୍ଷୀ ଅକ୍ଷକଙ୍କ କାର୍ଯ୍ୟା ଳୟ ପର୍ଯ୍ୟନ୍ତ […]

You May Like

Pin It on Pinterest