ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ଅନ୍ୟତମ ନିର୍ମାତା ପଂଡିତ ନୀଳକଣ୍ଠ ଦାସଙ୍କ ୫୮ ତମ ଶ୍ରାଦ୍ଧଦିବସ ପାଳିତ

ଭୁବନେଶ୍ବର(ତ୍ରିଭୁବନ ମହାପାତ୍ର) ୦୬/୧୧: ଆଜି ସନ୍ଧ୍ୟାରେ ଭାରତୀୟ ବିଦ୍ୟାଭବନର, କେ.ଏମ୍.ମୁନସି ସଭାଗୃହରେ ପଂଡିତ ନୀଳକଣ୍ଠ ସ୍ମୃତିସମିତିର ସଭାପତି ଶ୍ରୀଯୁକ୍ତ ଅମିୟ ଭୂଷଣ ତ୍ରିପାଠୀଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି ପଂଡ଼ିତ ନୀଳକଂଠ ଦାଶଙ୍କ ୫୮ତମ ଶ୍ରାଦ୍ଧ ଦିବସ।

ପଂଡିତ ନୀଳକଣ୍ଠଙ୍କ ତୈଳଚିତ୍ରରେ ଅତିଥିମାନେ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ସମିତିର ଆଜୀବନ ସଭ୍ୟା ଶ୍ରୀମତୀ ମଧୁସ୍ମିତା ବିଶ୍ଵାଳ ନୀଳକଣ୍ଠଙ୍କର ନିଜସ୍ୱ ରଚନା ‘କୋଣାର୍କେ’ ରେ କବିତା ଆବୃତ୍ତି କରିଥିଲେ ।

ଡଃ ପୂର୍ଣ୍ଣନ୍ଦୁ କୁମାର ଦାଶ ସାଧାରଣ ସମ୍ପାଦକ ସମସ୍ତଙ୍କୁ ସ୍ମୃତିସମିତି ତରଫରୁ ସ୍ଵାଗତ କରିବା ସହ ପଂଡିତ ନୀଳକଣ୍ଠଙ୍କର ସ୍ମୃତି ରକ୍ଷା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉପଯୁକ୍ତ ପଦକ୍ଷେପର ଆବଶ୍ୟକ‌ତା ପ୍ରତି ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ସଙ୍ଗେ ସମିତିର କାର୍ଯାବଳୀ ସମ୍ୱନ୍ଧରେ ସୂଚନା ପ୍ରଦାନ କରିଥିଲେ। ସଭାପତି ଶ୍ରୀଯୁକ୍ତ ତ୍ରିପାଠୀ ତାଙ୍କ ସ୍ବାଗତ ଅଭିଭାଷଣରେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ପଣ୍ଡିତ ନୀଳକଣ୍ଠଙ୍କୁ ଜଣେ ଶ୍ରେଷ୍ଠ ସାହିତ୍ୟିକ, ଦାର୍ଶନିକ, ସମାଜ ସଂସ୍କାରକ, ଶିକ୍ଷାବିତ ରୂପେ ବର୍ଣ୍ଣନା କରିବା ସଙ୍ଗେସଙ୍ଗେ,ସ୍ବତନ୍ତ୍ର ଓଡିଶା ପ୍ରଦେଶର ଅନ୍ୟତମ ନିର୍ମାତା ରୂପେ ସେ ଆମର ଚିରସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ ।

ଆଜିର ଓଡିଶା ସରକାର ଯେଉଁ ଓଡ଼ିଆ ଅସ୍ମିତାକୁ ନେଇ ଏକ ମୁଦା ରୂପେ ସର୍ବାଗ୍ରେ ସ୍ଥାନ ଦେଇଛନ୍ତି ତାହାର ଆନ୍ତରିକତା ଯେତିକି ସ୍ୱାଗତ ଯୋଗ୍ୟ ସେହି ଅନୁସାରେ ଗତିଶୀଳ ଥିବାପରି ମନେ ହେଉନାହିଁ। ଏହାକୁ ଆହୁରି ଆନ୍ତରିକତା ସହ ନେବା ଆମର କର୍ତ୍ତବ୍ୟ ହେବା ଉଚିତ।
ଏ ବର୍ଷର ପଂଡ଼ିତ ନୀଳକଂଠ ସ୍ମାରକୀ ବକ୍ତୃତା ପ୍ରଦାନ କରିବା ଅବସରରେ ଦାଶ ବେନହୁର ଓରଫ (ଅଧ୍ୟାପକ ଜିତେନ୍ଦ୍ରନାରାୟଣ ଦାଶ) କହିଲେ-ପଂଡିତ ନୀଳକଣ୍ଠ ଥିଲେ ମଧୁସୂଦନ,ଗାନ୍ଧୀ ଓ ଗୋପବନ୍ଧୁଙ୍କର ଅପୂର୍ବ ସମ୍ମିଶ୍ରଣ।ମଧୁସୂଦନଙ୍କ ସ୍ବାଭିମାନ,ଗାନ୍ଧୀଙ୍କ ସ୍ବଦେଶୀ ଭାବନା ଏବଂ ଗୋପବନ୍ଧୁଙ୍କର ଦେଶ-ଜନତା ପ୍ରତି ସେବା ମନୋଭାବ ତାଂକୁ ନୂଆ ହୋଇ ଗଢି ଉଠୁଥ‌ିବା ଓଡ଼ିଶାର ସବୁଠାରୁ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ଵ ରୂପେ ଠିଆ କରାଇଥିଲା ।
ପାଣ୍ଡିତ୍ୟ ଓ ବାଗ୍ମୀତାରେ ସେ ଥିଲେ ଅତୁଳନୀୟ ।ସାହିତ୍ୟରେ ଉର୍ଦ୍ଧ ଡାଳରେ ଫୁଟିଥିବା ସ୍ପର୍ଶ ଚମ୍ପା ପରି ସୁବାସିତ ଅଥଚ ଅନେକଙ୍କ ପାଇ ଅପହଞ୍ଚ ।ପିଲାଙ୍କ ପାଇଁ ସାହିତ୍ୟ ରଚନା କ୍ଷେତ୍ରରେ ଆଧୁନିକ ସମୟର ଆଦ୍ୟ ପ୍ରବର୍ତକ ଓ ଯଥାର୍ଥରେ ନୂଆ ଓଡ଼ିଶାର ଗୁରୁଶ୍ରେଷ୍ଠ ।ଏହି ଅବସରରେ ‘ପଂଡିତ ନୀଳକଂଠଙ୍କର ‘ପିଲାଙ୍କ ଗୀତ’ ବହିଟି ଉନ୍ମୋଚିତ ହୋଇଥିଲା।ଦାର୍ଶନିକ ପଂଡିତ ନୀଳକଣ୍ଠଙ୍କ ଉପରେ ଗବେଷଣା କରି ପି.ଏଚ. ଡି ପାଇଥିବା ଡକ୍ଟର ଅନୁପମା ମହାନ୍ତିଙ୍କ ସହ ତାଂକର ମାର୍ଗଦର୍ଶକ ଡ.ଚଂଦ୍ର କୁମାର ପଟନାୟକ ଓ ଡ.ନଂଦିନୀ ମିଶ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ୱନ୍ଧିତ କରାଯାଇଥିଲା ।
ସ୍ମୃତି ସମିତିର ଆଜୀବନ ସଭ୍ୟ ଡଃ ଅମରେନ୍ଦ୍ର ମହାନ୍ତି ଅତିଥି ପରିଚୟ ଦେଇଥିଲେ ଓ ଆଜୀବନ ସଭ୍ୟ ଶ୍ରୀଯୁକ୍ତ ବାବାଜୀ ଚରଣ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।ବିଭିନ୍ନ ପ୍ରତିଯୋଗୀତା ରେ କୃତକାର୍ଯ୍ୟ ହୋଇଥିବା ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
ଆଜିର ସଭାରେ ବିଶେଷ କରି ଓଡ଼ିଆ ଅସ୍ମିତା ଉପରେ ଆଲୋଚନା କରାଯାଇଥିଲା । ସରକାରଙ୍କର ଓଡ଼ିଆ ଅସ୍ମିତାର ପ୍ରକୃତ ରୂପରେଖକୁ ସୁସଂଗଠିତ କରିବା ଓ ଲେଖାରେ ଗୁରୁତ୍ୱ ଦିଆଯିବା ଦରକାର ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ସେୟାର କରନ୍ତୁ

You May Like

Pin It on Pinterest