
- ୭ ଡିସେମ୍ବରରେ ‘ଉତ୍କଳ ଫ୍ୟାସନ ଦ ୱିଭ୍ କଲେକସନ୍’ (ସିଜିନ୍-୨)
କଟକ(ବାସ୍ତବ କଥା)ଡିସେମ୍ବର ୪: ଓଡିଶାର ପ୍ରାଚୀନ କଳା ଓ ସଂସ୍କୃତିକୁ ଭିତ୍ତି କରି ପୁରୁଣା ପୋଷାକ ଶୈଳୀକୁ ନୂତନ ଢଙ୍ଗରେ ପରିବେଷଣ କରିବା ଲକ୍ଷ୍ୟରେ ଫ୍ୟାସନ ଡିଜାଇନିଂ ସଂସ୍ଥା ‘ସ୍ୱା’ ପକ୍ଷରୁ ଆସନ୍ତା ଡିସେମ୍ବର ୭ ତାରିଖ ଦିନ କଟକର ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଦିବସୀୟ ‘ଉତ୍କଳ ଫ୍ୟାସନ ଦ ୱିଭ୍ କଲେକସନ୍’ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ଓଡିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର କୁହାଯାଉଥିବା କଟକରେ ଅନୁଷ୍ଠିତ ହେବାକୁ ଥିବା ଏହି ବର୍ଣ୍ଣାଢ୍ୟ ଉତ୍ସବ ଚଳିତ ଥର ସିଜିନ୍-୨ ଭାବରେ ଆୟୋଜିତ ହେଉଛି, ଯାହା ପୂର୍ବରୁ ସିଜିନ୍-୧ ମଧ୍ୟ ସଫଳତାର ସହ ସମାପ୍ତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ୧୬ ଜଣ ଡ୍ରେସ୍ ଡିଜାଇନରଙ୍କ ସହ ୨୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବେ। ଏଥିରେ ଫ୍ୟାସନ ଶୋ’ ସହିତ ସୁଫି ଓ ଓଡିଶୀ ନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଓଡିଶାର ଲୋକମାନେ ପୂର୍ବରୁ ପରିଧାନ କରୁଥିବା ବିଭିନ୍ନ କିସମର ହସ୍ତତନ୍ତ ପୋଷାକକୁ ନୂଆ ଢଙ୍ଗରେ ପ୍ରସ୍ତୁତ କରି ପ୍ରଦର୍ଶନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ। ଯାହାଦ୍ୱାରା ଆମ ସଂସ୍କୃତି ଓ ଆମ ପୋଷାକ ବିଶ୍ୱ ଦରବାରରେ ପହଞ୍ଚି ପାରିବ।
ସେଲିବ୍ରିଟି ଡିଜାଇନର ସ୍ୱାତୀ ମହାପାତ୍ରଙ୍କ ପରିଚାଳନାରେ ହେବାକୁ ଥିବା ଏହି ଉତ୍ସବରେ ଓଡିଆ ସିନେମା ଜଗତର ଅନେକ ନାମୀଦାମୀ କଳାକାରଙ୍କ ସହ ଓଡିଶାର ଅନେକ ପୋଷାକ ଡିଜାଇନର ମଧ୍ୟ ଭାଗ ନେବେ। ଏହା ବ୍ୟତୀତ, ସ୍ପେଶାଲ ଡିଜାଇନର ଜିତ ଜଗଜିତଙ୍କ ସମେତ ଓଲିଉଡର ଅନେକ ନାମୀଦାମୀ ଅଭିନେତ୍ରୀମାନେ ମଧ୍ୟ ଏଥିରେ ଯୋଗଦେବେ ବୋଲି ଜଣାପଡ଼ିଛି।
କାର୍ଯ୍ୟକ୍ରମର ଶୁଭାରମ୍ଭ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ବୈଦିକ ମନ୍ତ୍ର ଉଚ୍ଚାରଣ ଏବଂ ବିଭିନ୍ନ ଆଧ୍ୟାତ୍ମିକ କଳା କୌଶଳ ପ୍ରଦର୍ଶନ ସହିତ ହେବ।
ସିଜିନ୍-୧ରେ ଭାଗ ନେଇଥିବା ଅନେକ ସଫଳ ପ୍ରତିଯୋଗୀ ଆଜି ରାଜ୍ୟର ବିଭିନ୍ନ ଅନୁଷ୍ଠାନରେ ସଫଳତାର ସହ କାର୍ଯ୍ୟ ଜାରି ରଖିଛନ୍ତି। ଏହି କାର୍ଯ୍ୟକ୍ରମର ମହତ୍ତ୍ୱ ଉପରେ ମତ ଦେଇ ‘ସ୍ୱା’ର ପରିଚାଳିକା ସ୍ୱାତୀ ମହାପାତ୍ର କହିଛନ୍ତି ଯେ ଆଗାମୀ ଦିନରେ ଯଦି ସରକାରଙ୍କ ପକ୍ଷରୁ ତାଙ୍କୁ ସାହାଯ୍ୟ ସହଯୋଗ ମିଳିବ, ତେବେ ସେ ଏହି କାର୍ଯ୍ୟକ୍ରମକୁ ଜାତୀୟ ସ୍ତରରେ ଆୟୋଜିତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା ଆମ ଓଡିଶାର ହସ୍ତତନ୍ତ ଓ ପୋଷାକ ବିଶ୍ୱ ଦରବାରରେ ପହଞ୍ଚିପାରନ୍ତା।



