
ମାଲକାନଗିରି(ବାସ୍ତବବ୍ୟୁର)୩।୧: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ନୂଆ ବର୍ଷ ଆରମ୍ଭରୁ ମାଓ ସଙ୍ଗଠନକୁ ଶକ୍ତ ଧକ୍କା ଲାଗିଥିବା ବେଳେ ସୁରକ୍ଷା ବଳକୁ ମିଳିଛି ବଡ ସଫଳତା।
ମାଓ ଦମନ ନିମନ୍ତେ ତଲାସି ଅଭିଯାନ ବେଳେ ସୁକୁମା ଜିଲ୍ଲାର କୋଣ୍ଟା ଏବଂ କିଷ୍ଟାରାମ ଜଙ୍ଗଲରେ ମାଓବାଦୀଙ୍କ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୧୪ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ବହୁ ମାଓ ସାମଗ୍ରୀ ଜବତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଛତିଶଗଡର ସୁକୁମା ଜିଲ୍ଲାରେ ଥିବା କିଷ୍ଟାରାମ ଓ କୋଣ୍ଟା ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ବିଶେଷ ସୂତ୍ରରୁ ଖବର ପାଇବା ସହ ମାଓବାଦୀ ବ୍ୟବହାର କରୁଥିବା ମୋବାଇଲ ଫୋନକୁ ଟ୍ରାକ କରି ଯବାନ ମାନେ ସେହି ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ କରିଥିଲେ।
ଡିଆରଜି, ସିଆରପିଏଫ ଯବାନଙ୍କ ସହ ସ୍ଥାନୀୟ ପୋଲିସ ପକ୍ଷରୁମିଳିତ ରୂପେ କୋଣ୍ଟା ଜଙ୍ଗଲରେ ଗତକାଲି ବିଳମ୍ବିତ ରାତିରୁ ତଲାସି ଅଭିଯାନ ଜାରି ରଖାଯାଇଅଥିବା ବେଳେ ଆଜି ସକାଳେ ମାଓବାଦୀ ମାନେ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବ ଦେଇଥିଲେ ଯବାନ ମାନେ। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ମାଓବାଦୀ ମାନେ ଯବାନଙ୍କ ସାମ୍ନା କରିନପାରି ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ତେବେ ଏହାପରେ ଅଞ୍ଚଳରେ ଯବାନ ମାନେ ପୁନଃ ତଲାସି ଅଭିଯାନ କରିବା ସମୟରେ ୧୪ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ମାଓବାଦୀଙ୍କ ମଧ୍ୟରେ କୋଣ୍ଟା ଏରିଆ କମିଟିର ଡିଭିସିଏମ ସଦସ୍ୟ ସଚିନ ମଙ୍ଗୁଡୁ ସହ ବହୁ ହାର୍ଡକୋର ମାଓବାଦୀ ମାନେ ନିହତ ହୋଇଥିବା କୁହାଯାଇଛି।
ସେହିପରି ଘଟଣାସ୍ଥଳରୁ ମାଓବାଦୀ ମାନେ ଏକେ ୪୭, ଇନ୍ସାସ ଭଳି ଅନେକ ବନ୍ଧୁକ, ମାଓ ସାମଗ୍ରୀ, ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ ଯବାନ।ଏହାପରେ ମଧ୍ୟ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଥିବା ନେଇ ସୁକୁମା ଏସପି କିରଣ ଚୌହାନ ପ୍ରକାଶ କରିଛନ୍ତି। ତେବେ ଭାରତକୁ ମାଓ ମୁକ୍ତ କରିବା ପାଇଁ ସରକାର ୨୦୨୬ ମସିହା ମାର୍ଚ ମାସର ସମୟ ଦେଇଥିବା ବେଳେ ଏହି ମିସନକୁ ସଫଳ କରିବା ପାଇଁ ଯବାନ ମାନେ ତଲାସି ଅଭିଯାନକୁ ଆହୁରି ବଢାଇ ଦେଇଛନ୍ତି। ସୂଚନା ଥାଉକି ଛତିଶଗଡର ଅନେକ କୁଖ୍ୟାତ ମାଓ ନେତାଙ୍କ ସହ ୪୦ ଜଣ ମାଓବାଦୀ ଗତକାଲି ତେଲେଙ୍ଗନା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ବର୍ତ୍ତମାନ ମାଓ ସଙ୍ଗଠନ ନିଜର ସେସ ନିଶ୍ଵାସ ନେଉଥିବା କୁହାଯାଉଛି।



