ବାସ୍ତବ ବ୍ୟୁରୋ : ଅମ୍ଫନ ପରବର୍ତ୍ତୀ ପୁନରୁଦ୍ଧାର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋଡିଲେ ସେନା ସହାୟତା । ରେଳବାଇ, ବନ୍ଦର ଓ ଘରୋଇ ସଂସ୍ଥାମାନଙ୍କ ଠାରୁ ମଧ୍ୟ ସହଯୋଗ ମାଗିଛନ୍ତି । ବାତ୍ୟା ଯୋଗୁଁ ପଶ୍ଚିମବଙ୍ଗର ୨୪ ପ୍ରଗଣା, କୋଲକତା ଆଦି ମୋଟ ୬ଟି ଜିଲ୍ଲାରେ ନାହିଁ ନ ଥିବା କ୍ଷୟକ୍ଷତି ହୋଇଛି । ଲୋକଙ୍କ ପାଖରେ ଏବେ ବି ସହାୟତା ପହଞ୍ଚିନାହିଁ । କିନ୍ତୁ ରିଲିଫ ଓ ଥଇଥାନ ପାଇଁ ଅଧିକ ଲୋକ ଓ ସମ୍ବଳର ଅଭାବ ଦେଖାଦେଇଛି ।

ଏହି ବିଷୟରେ ଟ୍ବିଟ କରି ଜଣାଇଛି ପଶ୍ଚିମବଙ୍ଗ ଗୃହ ବିଭାଗ । ଭିତ୍ତିଭୂମି ମରାମତି, ବିଜୁଳି ସେବାକୁ ସ୍ବାଭାବିକ କରିବା, ଲୋକଙ୍କ ପାଖରେ ସହାୟତା ପହଞ୍ଚାଇବା ପାଇଁ ନିବେଦନ କରିଛି ବିଭାଗ । ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧ ପରେ ଭାରତୀୟ ସେନା ୫ କଲମ ଯବାନ ପଠାଇଛି । ଏହି ଯବାନମାନେ କୋଲକତା ନଗର ପ୍ରଶାସନକୁ ରିଲିଫ ଓ ସହାୟତା କାର୍ଯ୍ୟରେ ସହାୟତା କରିବେ । ସେହିପରି ଓଡ଼ିଶାର ମୁଣ୍ଡୁଳିସ୍ଥିତ ଏନଡିଆରଏଫ୍ ପଶ୍ଚିମବଙ୍ଗକୁ ଆଉ ୧୦ଟି ଟିମ ପଠାଇଛି । ପୂର୍ବରୁ ପଶ୍ଚିମବଙ୍ଗରେ ୨୬ଟି ଏନଡିଆରଏଫ ଟିମ ରିଲିଫ ଓ ସହାୟତା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆଉ ୧୦ଟି ଟିମ ଗଲା ପରେ ପଶ୍ଚିମବଙ୍ଗରେ ଏବେ ମୋଟ ୩୬ଟି ଏନଡିଆରଏଫ ଟିମ ନିୟୋଜିତ ଅଛନ୍ତି । ସେହିପରି ଓଡ଼ିଶା ସରକାର ମଧ୍ୟ ସହାୟତାର ହାତ ବଢାଇଛନ୍ତି । କାଲି ସକାଳଠୁ ସମସ୍ତ ଟିମ୍ କାର୍ଯ୍ୟ ଆରମ୍ଭ କରିବା ନେଇ ସୂଚନା ମିଳିଛି।