
ବାସ୍ତବ ବ୍ୟୁରୋ– ଆସନ୍ତା କାଲିଠାରୁ ଅନ୍-ଲାଇନରେ ଅଡର୍ କଲେ ଆପଣଙ୍କ ଘରେ ପହଂଚିବ ମଦ । ଓଡିଶା ଅବକାରୀ ନିୟମ-୨୦୧୭ ରେ ଆବଶ୍ୟକୀୟ ପରିବର୍ତନ କରି, ଓଡିଶା ଅବକାରୀ ବିଭାଗ ପକ୍ଷରୁ ଏଇ ସୁବିଧା ଉପଲବ୍ଧ କରାଯାଇଅଛି । ମଦ ହୋମ୍ ଡେଲିଭରି ପାଇଁ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ, ଘରୋଇ କମ୍ପାନି ଜମାଟୋ ଓ ସ୍ୱିଗିକୁ ଅନୁମତି ପ୍ରଦାନ କରିଅଛନ୍ତି । ଏ ନେଇ ଆଜି ଅବକାରୀ କମିସନର ଅଞ୍ଜନ କୁମାର ମାଣିକ ବିଜ୍ଞପ୍ତି ଜାରି କରିଛନ୍ତି ।
ସୂଚନା ଅନୁସାରେ ଜମାଟୋ ଓ ସ୍ୱିଗି ମଦର ହୋମ୍ ଡେଲିଭରି ଲାଗି ଆବେଦନ କରିଥିଲେ, ସେମାନଙ୍କ ଆବେଦନ ମୁତାବକ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ପୁରୀରେ ଜମାଟୋ ମଦ ହୋମ୍ ଡେଲିଭରି କରିବ । ସେହିଭଳି ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲାରେ ସ୍ୱିଗି ମଦ ହୋମ୍ ଡେଲିଭରି କରିବ ।

- ସବୁଠୁ ବଡ କଥା, ମଦ ଉପରେ ୫୦ ପ୍ରତିଶତ କୋଭିଡ୍ ଟ୍ୟାକ୍ସ ଲଗାଇଛନ୍ତି ରାଜ୍ୟ ସରକାର ।
- କଣ୍ଟନମେଣ୍ଟ ଜୋନ ଛାଡି ଅନ୍ୟ ସମସ୍ତ ସ୍ଥାନରେ ମଦର ହୋମ ଡେଲିଭରି ହୋଇପାରିବ ।
- ଉଭୟ ଅନ୍ଲାଇନ୍ ଓ ଅଫଲାଇନ୍ ଲାଇସେନ୍ସପ୍ରାପ୍ତ ଦୋକାନୀ ହୋମ୍ ଡେଲିଭରି ଦେବେ । ହେଲେ ଏଥି ପାଇଁ ଗ୍ରାହକଙ୍କୁ ଏମଆରପି ଉପରେ ଅଧିକ ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ।
- ଏହି ଅଧିକ ୫୦ ପ୍ରତିଶତ ଅର୍ଥ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ କରାଯିବ ବୋଲି କୁହାଯାଇଛି ।
- ରାଜ୍ୟର ସମସ୍ତ ଲାଇସେନ୍ସପ୍ରାପ୍ତ ଠିପିଖୋଲା ଓ ଠିପିବନ୍ଦ ମଦ ଦୋକାନରୁ ଗ୍ରାହକଙ୍କ ଚାହିଦା ଅନୁସାରେ ଘରେ ପହଞ୍ଚିବ ମଦ ।
- ଅନ୍ଲାଇନ୍ ଏବଂ ଅଫଲାଇନ୍ ଲାଇସେନ୍ସ ପ୍ରାପ୍ତ ଦୋକାନରେ ଡିସପ୍ଲେ ବୋର୍ଡ଼ରେ ଫୋନ୍ ନମ୍ବର, ହ୍ବାଟସ୍ଆପ୍ ନମ୍ବର, ଇ-ମେଲ ଆଇଡି ରହିବ । ଏଥି ସହ OSBC ଓ୍ବେବସାଇଟ୍ osbc.co.inରେ ଜିଲ୍ଲାଓ୍ବାରୀ ତଥ୍ୟ ରହିବ । ସମସ୍ତ ପ୍ରକାର ପ୍ରଡକ୍ଟର ମୂଲ୍ୟ ମଧ୍ୟ ଓ୍ବେବ୍ସାଇଟ୍ରେ ରହିବ ।
- ରିଟେଲର ମଧ୍ୟ ଏହି ହୋମ ଡେଲିଭରି ବ୍ୟବସ୍ଥାରେ ମଦ ପାଇବେ। ସକାଳ ୭ଟାରୁ ସଂଧ୍ୟା ୬ଟା ଭିତରେ ହୋମ୍ ଡେଲିଭରି ପାଇଁ ଅନୁମତି ଦିଆଯାଇଛି ।
ଏବେ କୁହନ୍ତୁ ଆପଣମାନେ ଖୁସି ତ ?
