
ବାସ୍ତବ ବ୍ୟୁରୋ : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ଯେ , ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ କାଳବୈଶାଖୀ ଜନିତ ବର୍ଷା ପବନ ହେବାର ସମ୍ଭାବନା ଅଛି । ସେଥିପାଇଁ କାଳବୈଶାଖୀ ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟର ଏହି ୬ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ।

ଏହା ସହ ଆଗାମୀ ୫ ଦିନ ପାଇଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବଲାଙ୍ଗୀର, ବରଗଡ଼, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ ଓ ମାଲକାନଗିରି ପ୍ରମୁଖ ୧୦ଟି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି । ଏହି ୧୦ଟି ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ପ୍ରବାହିତ ହେବାକୁ ଥିବା ଗ୍ରୀଷ୍ମ ପ୍ରବାହ କାଳରେ ଅଂଶୁଘାତର ଆଶଙ୍କା ରହିଥିବାରୁ ଏହି ୧୦ଟି ଜିଲ୍ଲାରେ ବୃଦ୍ଧ ଓ ଶିଶୁମାନଙ୍କୁ ସକାଳ ୮ଟା ପରଠାରୁ ଦିନ ଦୁଇଟା ପର୍ଯ୍ୟନ୍ତ ଘରୁ ପଦାକୁ ନ ବାହାରିବା ପାଇଁ ଜାରି ସତର୍କ ସୂଚନାରେ ପରାମର୍ଶ ଦିଆଯାଇଛି ।




