
ବାସ୍ତବ ବ୍ୟୁରୋ : ପରଲୋକରେ ବଲିଉଡ ଜଗତର ଲୋକପ୍ରିୟ ସଂଗୀତକାର ୱାଜିଦ୍ ଖାନ । ଭାଙ୍ଗିଗଲା ସାଜିଦ୍-ୱାଜିଦ୍ ଯୋଡ଼ି । ନିଜ ଭାଇ ସାଜିଦ ଖାନଙ୍କ ସହ ମିଶି ସାଜିଦ୍-ଓ୍ୱାଜିଦ ନାମରେ ସେ ବହୁ ଲୋକପ୍ରିୟ ବଲିଉଡ୍ ସିନେମାରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ୱାଜିଦ୍ ରବିବାର ବିଳମ୍ବିତ ରାତିରେ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ବଲିଉଡ୍ ରେ ଶୋକ ର ଛାୟା ଖେଳିଯାଇଛି ।
ସୂଚନା ଅନୁଯାୟୀ, ୱାଜିଦ୍ ଖାନ୍ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ । କିଛି ମାସ ତଳେ ତାଙ୍କର କିଡନୀ ପ୍ରତିରୋପଣ ହୋଇଥିଲା । ସପ୍ତାହେ ହେବ ସେ କରୋନାରେ ପୀଡିତ ହେବାରୁ, ସେ ମୁମ୍ବାଇର ଚେମ୍ବୁରସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । କିଡନୀରେ ସଂକ୍ରମଣ ବଢ଼ିବାରୁ ଗତ ଚାରି ଦିନ ହେବ ଭେଣ୍ଟିଲେଟରରେ ରଖାଯାଇଥିଲା । ଗତକାଲି ରାତିରେ ହଠାତ୍ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଯାଇଥିଲା । ସେଠାରେ ୱାଜିଦ ଖାନଙ୍କର ପରଲୋକ ହୋଇଥିଲା ।

ସଲମାନ ଖାନଙ୍କ ପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଥିଲେ ୱାଜିଦ୍ ଖାନ୍ । ଏପିରିକି ସଲମାନଙ୍କ ଅଭିନୀତ ପ୍ୟାର କିୟା ତୋ ଡରନା କ୍ୟା ଚଳଚ୍ଚିତ୍ରରୁ ସେ କ୍ୟାରିୟର ଆରମ୍ଭ କରିଥିଲେ । ତେରେ ନାମ୍, ୱାଂଟେଡ୍, ଦବଙ୍ଗ, ଏକ ଥା ଟାଇଗର୍, ପାର୍ଟନର, ମୁଝ ସେ ସାଦି କରୋଗୀ, ହେଲୋ, ଗଡ୍ ତୁ ସି ଗ୍ରେଟ୍ ହୋ ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ୱାଜିଦଙ୍କ ମନଛୁଆଁ ସଙ୍ଗୀତ ଶୁଣିବାକୁ ମିଳିଛି ।
ସଂଗୀତକାର ୱାଜିଦ୍ ଖାନଙ୍କର ଅକାଳ ବିୟୋଗରେ ଟ୍ୱିଟ୍ କରି ଅନେକ ବିଶିଷ୍ଟ ଅଭିନେତା ଓ ଅଭିନେତ୍ରୀ ଶୋକ ପ୍ରକାଶ କରିଛନ୍ତି । ବାସ୍ତବ ଟିଭି ପରିବାର ତରଫ ରୁ ଦିବଂଗତ ୱାଜିଦ୍ ଖାନଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ।