
ବାସ୍ତବ ବ୍ୟୁରୋ-ରାଜ୍ୟ ରେ ଦିନ କୁ ଦିନ ବଡୁଥିବା କରୋନା ସଂକ୍ରମଣ କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଜାରି କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, କରୋନାକୁ ଗ୍ଲୋବାଲ ଟ୍ରାଭେଲର୍ସମାନେ ଦେଶରୁ ଦେଶକୁ ନେଇଛନ୍ତି । ୪ଲକ୍ଷ ୨୬ ହଜାରରୁ ଅଧିକ ଲୋକ ରାଜ୍ୟକୁ ଫେରିଛନ୍ତି । ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି ସରକାର । ଏଥିଲାଗି ଜୁନ୍ ୩୦ ତାରିଖ ଯାଏଁ ଓଡ଼ିଶାର ଗଞ୍ଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା, କେନ୍ଦ୍ରାପଡା, ଭଦ୍ରକ, ବଲାଙ୍ଗୀର, କଟକ, ଜଗତସିଂହପୁର, ଯାଜପୁର ଓ ବାଲେଶ୍ୱର ଆଦି ସଂକ୍ରମଣ ବଢ଼ିଥିବା ୧୧ ଜିଲ୍ଲାରେ ପ୍ରତି ସପ୍ତାହର ଶନିବାର ଓ ରବିବାର ସଟଡାଉନ ହେବ ।
ତେବେ ସଟଡାଉନ ବେଳେ ଜରୁରୀ ସେବା ମିଳିବ । ବିମାନ ସେବା ଓ ଟ୍ରେନ୍ ଚଳାଚଳ ଜାରି ରହିବ। କିନ୍ତୁ ଏହି ସମୟରେ ମେଡିକାଲ୍, ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗର କାମ ଜାରି ରହିବ । ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ଅସିତ ତ୍ରିପାଠୀ କହିଛନ୍ତି ।

ଏହାସହ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ସ୍କୁଲ ଓ କଲେଜକୁ ବନ୍ଦ ରଖିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ୩୦ ଜୁନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଧାର୍ମିକ ସ୍ଥଳୀ ବନ୍ଦ ରଖାଯିବ ।ଜୁନ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଖୋଲା ହେବନି କୌଣସି ସପିଙ୍ଗମଲ , ସପିଙ୍ଗ କମ୍ପ୍ଲେକ୍ସ , ଜିମ , ବାର ଓ ସିନେମା ହଲ୍ । ସଂନ୍ଧ୍ୟା ୭ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ଓଡିଶାରେ ଲାଗୁ ରହିବ କର୍ଫ୍ୟୁ ।
ତେବେ ଏହି ସମୟରେ ବସ୍ ଓ ରେଳ ଚଳାଚଳ ଚାଲୁ ରହିବ । ହୋଟେଲ ଖୋଲିବ କିନ୍ତୁ, ୩୦% କ୍ଷମତାରେ ଚାଲିବ । କେବଳ ହୋଟେଲରେ ରହୁଥିବା ଲୋକଙ୍କ ପାଇଁ ରେଷ୍ଟୁରାଣ୍ଟ ଚାଲିବ, ବାହାର ଲୋକଙ୍କ ପାଇଁ ନୁହେଁ । ପେଟ୍ରୋଲ ପମ୍ପ ଖୋଲା ରହିବ ଏବଂ ଗଣମାଧ୍ୟମକୁ ଅନୁମତି ମିଳିଛି । କେବଳ ଏତିକି ନୁହେଁ ଜଳଯୋଗାଣ, ବିଦ୍ୟୁତ ସେବା ମଧ୍ୟ ଜାରି ରହିବ । ତେବେ ସଟଡାଉନ ଜିଲ୍ଲାରେ ବଜାର, ଅଫିସ, ଗ୍ରୋସରୀ ଦୋକାନ ବନ୍ଦ ରହିବ । ଆଜି ସନ୍ଧ୍ୟାରୁ ଲାଗୁ ହେବ ନିୟମ ।