
ବାସ୍ତବ ବ୍ୟୁରୋ : ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସଂକ୍ରାନ୍ତରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ଆଜି ଓଡ଼ିଶା ସରକାର ରାଜ୍ୟ ସଙ୍ଗୀତ ଭାବେ ସ୍ବୀକୃତି ପ୍ରଦାନ କରିଛନ୍ତି ।
ସାଡେ ୪ କୋଟି ଓଡ଼ିଆଙ୍କ ଦାବି କୁ ସମ୍ମାନ ଦେବାକୁ ଯାଇ ରାଜ୍ୟ ସରକାର, କାନ୍ତକବି ଲକ୍ଷ୍ମକାନ୍ତ ମହାପାତ୍ରଙ୍କ ଅନବଦ୍ୟ ସୃଷ୍ଟି ‘ବନ୍ଦେ ଉକ୍ରଳ ଜନନୀ‘ ସଂଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ଦେଇଛନ୍ତି । ମେ ୩୦ ତାରିଖରେ ସଂଧ୍ୟା ସାଢେ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ସାରା ଓଡିଶାବାସୀ ବନ୍ଦେ ଉକ୍ରଳ ଜନନୀ ସଂଗୀତ ଗାନ କରିଥିଲେ । ଆଉ ଏହା ଥିଲା ଓଡିଆ ଜାତି ପାଇଁ ଗର୍ବ ଏବଂ ଗୌରବର ମୁହୂର୍ତ୍ତ ।
କାନ୍ତକବିଙ୍କର ଏହି କାଳଜୟୀ ରଚନା ୧୯୧୨ ମସିହାରୁ ଉତ୍କଳ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଗାନ କରାଯାଉଥିଲା । ୧୯୩୬ ମସିହା ଏପ୍ରିଲ୍ ପହିଲାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେବା ସମୟରୁ ‘ବନ୍ଦେ ଉତ୍କଳ ଜନନୀ’ ପ୍ରତିଟି ଓଡ଼ିଆର ହୃଦୟରେ ଓ ଭାବନାରେ ରହି ଆସିଛି । ଏହି ସଙ୍ଗୀତର ପ୍ରତିଟି ଶବ୍ଦରେ ଭରି ରହିଛି ଦେଶଭକ୍ତିର ଶକ୍ତି, ଶୌର୍ଯ୍ୟ ଓ ସୌନ୍ଦର୍ଯ୍ୟ, ଅଗ୍ରଗତି କରିବା ପାଇଁ ଅଦମ୍ୟ ପ୍ରେରଣା । ମାତୃଭାଷା ତଥା ଓଡ଼ିଆ ଜାତିକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ତାଙ୍କର ଉଦ୍ୟମ ପାଇଁ ସେ ଚିର ନମସ୍ୟ ବୋଲି କହି ରାଜ୍ୟ କ୍ୟାବିନେଟ୍ ତାଙ୍କର ଅମର ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା ।
ଏହି ରାଜ୍ୟ ସଂଗୀତ ଗାନର ମାନ୍ୟକ୍ରମ ସ୍ଥିର କରିଛନ୍ତି ରାଜ୍ୟ ସରକାର ।
- କାନ୍ତକବିଙ୍କ ରଚିତ ସମ୍ପୂର୍ଣ୍ଣ ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ଗ୍ରହଣ କରାଗଲା ।
- ଏହି ସଙ୍ଗୀତ ଗାୟନର ଅନୁମୋଦିତ ସ୍ବର, ଶୈଳୀ ତଥା ରେକର୍ଡିଙ୍ଗ୍ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ପ୍ରସ୍ତୁତ କରାଯିବ ।
- ଏହି ଗୀତର ଗାୟନ ଅବଧି, ସ୍ବର ତଥା ଶୈଳୀ ଉପରୋକ୍ତ ରେକର୍ଡିଙ୍ଗ୍ ପ୍ରକାରରେ ନିର୍ଦ୍ଧାରିତ ହେଲା ।
- ରାଜ୍ୟ ସରକାରଙ୍କର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ବିଧାନସଭାର ଅଧିବେଶନ ଏବଂ ସ୍ବତନ୍ତ୍ର ଭାବେ ଆୟୋଜିତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମରେ ଏହି ସଙ୍ଗୀତର ବିନା ବାଦ୍ୟରେ ପ୍ରସ୍ତୁତ ଅନୁମୋଦିତ ସଂସ୍କରଣ ପରିବେଷଣ/ଗାନ କରାଯିବ ।

- ଉଦ୍ଘାଟନୀ, ଉଦ୍ଯାପନୀ ଓ ଉଦ୍ବୋଧନୀ ସଙ୍ଗୀତ ଭାବରେ ଏହାକୁ ଗାନ କରାଯିବା ସମୟରେ ସମ୍ମାନ ପ୍ରଦର୍ଶନପୂର୍ବକ ଉପସ୍ଥିତ ଜନତା ସଙ୍ଗୀତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦଣ୍ଡାୟମାନ ରହିବେ। ମାତ୍ର ବୟସ୍କ, ଅସୁସ୍ଥ, ଭିନ୍ନକ୍ଷମ, ଗର୍ଭବତୀ ମହିଳା, ଯେଉଁମାନେ ଦଣ୍ଡାୟମାନ ହେବାରେ ଅସୁବିଧା ଅନୁଭବ କରୁଥିବେ, ଏହି ସଙ୍ଗୀତ ପରିବେଷଣ ସମୟରେ ନିଜ ଆସନରେ ନମ୍ର ଭାବରେ ବସିରହି ଏଥିପ୍ରତି ସମ୍ମାନ ପ୍ରଦର୍ଶନ କରିପାରିବେ। ଏହି ସଙ୍ଗୀତ ଗାନ ସମୟରେ ଶିଶୁମାନେ ଦଣ୍ଡାୟମାନ ନ ରହିଲେ ଚଳିବ ।
- ବିଦ୍ୟାଳୟ, ମହାବିଦ୍ୟାଳୟ, ଅନ୍ୟାନ୍ୟ ସଭାସମିତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠସଙ୍ଗୀତ କିଂବା ବାଦ୍ୟଯନ୍ତ୍ର ସଙ୍ଗତ ସହିତ ଏହାକୁ ପରିବେଷଣ/ଗାନ କରାଯିବ ।

- ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ଏହି ସଙ୍ଗୀତକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦେଶ ଦିଆଯାଇଛି ।
- ଏହି ସଙ୍ଗୀତର ପ୍ରଚାର ପ୍ରସାର ତଥା ଅଭିବୃଦ୍ଧି ନିମନ୍ତେ ଏହାର ସୃଜନାତ୍ମକ ପରିବେଷଣ ଉପରେ କୌଣସି କଟକଣା ରହିବନାହିଁ ।
- ଏହି ସଙ୍ଗୀତ ପୁଲିସ୍ ବ୍ୟାଣ୍ଡ୍, ବଂଶୀ, ସିତାର ଭଳି ବିଭିନ୍ନ ବାଦ୍ୟଯନ୍ତ୍ର ମାଧ୍ୟମରେ ମଧ୍ୟ ପରିବେଷଣ କରାଯିବ ।