
ବାସ୍ତବ ବ୍ୟୁରୋ : ଆଜି ସନ୍ଧ୍ୟାରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପୁରୀ ରଥଯାତ୍ରା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଛନ୍ତି ଚିଠି । ଗଜପତି ଏହି ଚିଠି ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଆଧାରରେ ଲେଖିଛନ୍ତି । ନିଜ ଚିଠିରେ ଶ୍ରୀକ୍ଷେତ୍ରରେ ରଥଯାତ୍ରା କରାଇବାକୁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଉଲ୍ଲେଖ କରିଛନ୍ତି । ରଥଯାତ୍ରା ସ୍ଥଗିତ ରଖିବା ନେଇ ସୁପ୍ରିିମ୍ କୋର୍ଟଙ୍କ ରାୟର ପୁନର୍ବିଚାର ଲାଗି ରାଜ୍ୟ ସରକାର ଆଉ ଥରେ ସୁପ୍ରିମ କୋର୍ଟ ଯିବାକୁ ଅନୁରୋଧ କରିଛନ୍ତି ଗଜପତି ମହାରାଜ ।

ଏହି ଚିଠିରେ ଗଜପତି ଦର୍ଶାଇଛନ୍ତି କି, ଶ୍ରୀମନ୍ଦିର ରେକର୍ଡସ ଅଫ୍ ରାଇଟସ୍ ଅନୁଯାୟୀ ପ୍ରତିବର୍ଷ ରଥଯାତ୍ରା ଅନୁଷ୍ଠିତ ହେବା ଏହା ଏକ ବାଧ୍ୟତାମୂଳକ ବିଧି । ପୁରୀ ଜଗନ୍ନାଥଙ୍କ ମୂଳପୀଠ, ସେଠାରେ ରଥଯାତ୍ରା ବନ୍ଦ କରିବା ଉଚିତ ନୁହେଁ । ଜଗନ୍ନାଥ ଅବତାର ନୁହଁନ୍ତି; ଅବତାରୀ। ମହାପ୍ରଭୁ ତାଙ୍କର ଭକ୍ତମାନଙ୍କୁ ଦେଖା କରିବା ପାଇଁ ବର୍ଷରେ ଥରଟିଏ ବଡ଼ଦାଣ୍ଡକୁ ବାହାରି ଥାଆନ୍ତି । ଅତୀତରେ କୌଣସି ବିପର୍ଯ୍ୟୟ ଓ ମହାମାରୀ ବେଳେ ରଥଯାତ୍ରା ବନ୍ଦ ହୋଇ ନ ଥିଲା । କେବଳ ମୋଗଲ ଆକ୍ରମଣ ବେଳେ ଅସମ୍ଭବ ପରିସ୍ଥିତିରେ ରଥଯାତ୍ରା ବନ୍ଦ ହୋଇଥିଲା । ଆଇନତଃ ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରତିବର୍ଷ ରଥଯାତ୍ରା କରିବାକୁ ବାଧ୍ୟ । ତେଣୁ ରାଜ୍ୟ ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ଚିଠି ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହା ସହ ପୁରାଣ ଓ ପରମ୍ପରାରେ ପୁରୀ ରଥଯାତ୍ରାର ଗୁରୁତ୍ୱ ଦର୍ଶାଇଛନ୍ତି ଗଜପତି ।
