
ବାସ୍ତବ ବ୍ୟୁରୋ–ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ କରିବା ପାଇଁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦିଷ୍ଟ ସର୍ତ୍ତ ସହ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମ୍ କୋର୍ଟ ରଖିଥିବା ସର୍ତ୍ତଗୁଡ଼ିକ ମଧ୍ୟରେ ରହିଛି :
- ଆଜି ରାତି ୮ଟାରୁ ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ ।
- ସହର ମଧ୍ୟକୁ ଆସିଥିବା ସମସ୍ତ ପ୍ରବେଶ ପଥକୁ ସିଲ କରାଯିବ ।
- ପୁରୀ ସହରକୁ ବସ୍ ଓ ରେଳ ସେବା ସଂପୂର୍ଣ୍ଣ ବନ୍ଦ ରହିବ ।
- ରଥଯାତ୍ରା କାଳରେ ସମଗ୍ର ପୁରୀ ଜିଲ୍ଲାକୁ ସଂପୂର୍ଣ୍ଣ ସିଲ୍ କରାଯିବ ।
- ମୁକ୍ତ ଓ ବିନାମୂଲ୍ୟରେ ରଥଯାତ୍ରାର ପ୍ରସାରଣ କରିପାରିବେ ଗଣମାଧ୍ୟମ ।
- ସରକାର ଓ ପ୍ରଶାସନ ବି ନିୟମର ପାଳନ ପାଇଁ ଉତ୍ତରଦାୟୀ ରହିବେ ।
- ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ରଥଯାତ୍ରାର ଉତ୍ତରଦାୟିତ୍ୱ ନେବେ ।
- କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ସେବାୟତ ହିଁ ରଥଯାତ୍ରା ସେବାରେ ସାମିଲ ହୋଇପାରିବେ ।
- ରଥଯାତ୍ରାରେ ସାମିଲ ହେଉଥିବା ସମସ୍ତ ବ୍ୟକ୍ତିଙ୍କ ତଥ୍ୟ ରଖିବେ ରାଜ୍ୟ ସରକାର ।
- ରଥ ଟଣା ହେବା ବେଳେ କର୍ଫ୍ୟୁ ଜାରି ରହିବ ।
- ଗୋଟିଏ ରଥକୁ ସର୍ବାଧିକ ୫ଶହ ଜଣ ଟାଣି ପାରିବେ ।
- ଗୋଟିଏ ରଥରୁ ଆଉ ଗୋଟିଏ ରଥ ଟଣା ହେବା ଭିତରେ ସର୍ବନିମ୍ନ ଏକଘଣ୍ଟାର ବ୍ୟବଧାନ ରହିବ ।
- କରୋନା ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାର ଭଲ ଭାବରେ କାର୍ଯ୍ୟ କରିଛନ୍ତି
- ତେଣୁ ଏଭଳି ଆଭିମୁଖ୍ୟ ରଥଯାତ୍ରାରେ ବି ରଖିବାକୁ ନିର୍ଦେଶ
- ଆବଶ୍ୟକ ପଡ଼ିଲେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ନେଇପାରିବେ ରାଜ୍ୟ ସରକାର
ରାଜ୍ୟ ସରକାରଙ୍କ ପ୍ରସ୍ତୁତି
ସେପଟେ, ସୁପ୍ରିମକୋର୍ଟ ରାୟ ଦେବା ପରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଲୋକ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ରାତି ୯ଟାରୁ ପୁରୀ ଜିଲ୍ଲା ସଟଡାଉନ୍ ଘୋଷଣା କରାଯାଇଛି । ପୁରୀକୁ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗୁ କରିବା ସହ ପୁରୀକୁ ପ୍ରବେଶ କରିବା ନିମନ୍ତେ ପଥକୁ ସିଲ୍ କରାଯାଇଛି । ଆଜି ରାତି ୯ରୁ ବୁଧବାର ଦିନ ୨ଟା ପର୍ଯ୍ୟନ୍ତ ପୁରୀ ସହର ସମ୍ପୂର୍ଣ୍ଣ ରୂପେ ସଟ ଡାଉନ ରହିବ । ସୁରକ୍ଷା ଦୃଷ୍ଟିରୁ ପ୍ରାୟ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।