
ବାସ୍ତବ ବ୍ୟୁରୋ–ଆଜି ନୂଆ ଇତିହାସ ଲେଖିଲା ଶ୍ରୀକ୍ଷେତ୍ର । ଯାହା କେବେ ବି ହୋଇନଥିଲା ଆଜି ତାହା ହିଁ ଘଟିଛି କାଳିଆର ଘୋଷଯାତ୍ରା ରେ । ରାତି ପାହିଲା ବେଳକୁ ମନ୍ଦିରର ରୀତିନୀତି ଯେମିତି ଆରମ୍ଭ ହେବା କଥା ସେମିତି ହୋଇଥିଲା । ନିର୍ଧାରିତ ସମୟରେ ଲକ୍ଷ୍ମୀ ଠାକୁରାଣୀ ଙ୍କ ରାନ୍ଧଣା କେଚୁଡ଼ି ଖାଇ ଭାଇ ଭଉଣୀ ଙ୍କୁ ସଙ୍ଗରେ ଧରି ବାହାରି ପଡ଼ିଥିଲେ କାଳିଆ ରଜା ଧାଡି ପହଣ୍ଡି ରେ, ହେଲେ ନଥିଲା ଭକ୍ତଙ୍କ ଗହଳି । କାଳିଆ ମୁହଁ ରେ ବି ନଥିଲା ସରାଗ ।କରୋନା ର ମହାମାରୀ ଲୁଟି ନେଇଥିଲା ଭକ୍ତ ଓ ଭଗବାନ ଙ୍କ ଆବେଗ କୁ । ବିନା ଭକ୍ତ ରେ ଘୋଷଯାତ୍ରା ରେ ଗଲେ କାଳିଆ ସାଆନ୍ତ ।

ନିର୍ଧାରିତ ସମୟରେ ଭିତରେ ରଥ ଟଣା ଆରମ୍ଭ ହୋଇ ଶୃଙ୍ଖଳାର ସହ ଶେଷ ହୋଇଛି ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ।ଶ୍ରୀମନ୍ଦିରର ସେବାୟତମାନେ ତିନିରଥକୁ ଶ୍ରୀମନ୍ଦିରରୁ ଭିଡ଼ି ନେଇ , ମାତ୍ର ୪ଘଣ୍ଟା ରେ ଗୁଣ୍ଡିଚା ମନ୍ଦିର ସାମ୍ନାରେ ସନ୍ଧ୍ୟା ପୂର୍ବରୁ ପହଞ୍ଚାଇ ଦେଲେ ।
ରଥ ଶରଧାବାଲି ଚୂଇଁଲା ପରେ ସମସ୍ତ ସେବାୟତ ରଥ ସାମ୍ନାରେ ଏକ ସ୍ୱରରେ ଗୀତଗୋବିନ୍ଦ ଗାନ କରିଥିଲେ । ହାତରେ ତାଳି ଦେଇ ବରିଷ୍ଠ ସେବାୟତ ରାମକୃଷ୍ଣ ଦାଶମହାପାତ୍ରଙ୍କ ନେତୃତ୍ବରେ ଭାବପୂର୍ଣ୍ଣ ଭାବେ ଗାନ କରିଥିଲେ । ଯେଉଁଥିରେ ନିଜେ ଶ୍ରୀମନ୍ଦିର ର ମୁଖ୍ୟ ଶାସନ ସଚିବ ମଧ୍ୟ ସାମିଲ ହୋଇଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ନିର୍ଧାରିତ ସମୟରେ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଥିବାରୁ ସେବାୟତ , ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପଶାସନ, ସ୍ବାସ୍ଥ୍ୟ ବିଭାଗ ଓ ପୁଲିସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ପୁରୀର ଜନସାଧାରଶକୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି ।
