
ବାସ୍ତବ ବ୍ୟୁରୋ : ଏ ବର୍ଷ ବୋଲବମ୍ ଯାତ୍ରା ଉପରେ ରୋକ ଲଗାଇଲେ ରାଜ୍ୟ ସରକାର । ଆସନ୍ତା ସୋମବାର ଠାରୁ ଶ୍ରାବଣ ଆରମ୍ଭ ହେଉଥିବାରୁ ଜଳଲାଗି ହେଲେ ବିଭିନ୍ନ ମନ୍ଦିରରେ ଜନସମାଗମ ହେବ ଏବଂ ଏହାଦ୍ବାରା ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି । ଏହାକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ପୂରା ରାଜ୍ୟରେ ଶୈବପୀଠରେ ଜଳଲାଗି ଓ ବୋଲବମ୍ ପଦଯାତ୍ରା ଉପରେ ନିଷେଧାଦେଶ ଜାରି କରାଗଲା ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ଶ୍ରୀ ପ୍ରଦୀପ ଜେନା । ଏ ନେଇ ସ୍ବତନ୍ତ୍ର ରିଲିଫ୍ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ବିଧିବଦ୍ଧ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଏସଆରସି କହିଛନ୍ତି ଯେ ରାଜ୍ୟର କୌଣସି ସ୍ଥାନରେ କାଉଡିଆମାନେ ପାଣି ଉଠାଇ ଶିବମନ୍ଦିରକୁ ନେଇ ପାରିବେ ନାହିଁ । ପୁଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏହାର ତଦାରଖ କରିବେ । ସରକାରଙ୍କ ଏହି ନିଷ୍ପତ୍ତିକୁ ମାନି ଜନସ୍ବାସ୍ଥ୍ୟ ରକ୍ଷା ଲାଗି ଜନସାଧାରଣ ସହଯୋଗ କରିବାକୁ ସେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।

ସୂଚନାନୁଯାୟୀ,ଜୁଲାଇ ୩୧ ପର୍ଯ୍ୟନ୍ତ ରାଜ୍ୟ ସରକାର ସମସ୍ତ ଧର୍ମପୀଠ ବନ୍ଦ ରହିବ ବୋଲି ଘୋଷଣା କରିବା ସହ ସମସ୍ତ ଧାର୍ମିକ, ସାମାଜିକ ଓ ସାଂସ୍କୃତିକ ସମାବେଶ ଉପରେ ମଧ୍ୟ ରୋକ ଲଗାଇଛନ୍ତି ।




