ବାସ୍ତବ ବ୍ୟୁରୋ : ଆହୁରି ୩ମାସ ମିଳିବ ମାଗଣା ଏଲପିଜି ସିଲିଣ୍ଡର । କେବଳ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇବା ସମୟ ସୀମାକୁ ନୁହେଁ ବରଂ ଅନ୍ୟ ଦୁଇ ଯୋଜନାର ସମୟ ସୀମା ମଧ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କେନ୍ଦ୍ର କ୍ୟାବିନେଟରେ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଅଧୀନରେ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇବା ସମୟ ସୀମାକୁ ଆହୁରି ୩ମାସ ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବୃଦ୍ଧି କରାଯାଇଛି।
ମୋଦୀ ସରକାରଙ୍କ ନେଇଥିବା ଏହି ନିଷ୍ପତି ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ନିରନ୍ତର ସହାୟତା ଯୋଗାଇ ଦେବାର ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ଯୋଜନା ଅଧୀନରେ ଦେଶର ୮୦କୋଟିରୁ ଊର୍ଧ୍ୱ ଲୋକମାନେ ମାଗଣା ଖାଦ୍ୟାନ୍ନ ପାଇ ପାରିବେ।
ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଏହି ନିଷ୍ପତ୍ତି ଦେଶର ସାଧାରଣ, ଗରିବ ଅସହାୟ ଏବଂ ସୁରକ୍ଷିତ ଲୋକଙ୍କୁ କୋରାନାର ଆର୍ଥିକ ଆହ୍ଵାନ୍କୁ ଦୂର କରିବାରେ ସହାୟକ ହେବ । ସେ କହିଛନ୍ତି କି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସକୁ ମୂଳମନ୍ତ୍ର କରି ପଦକ୍ଷେପ ନେଉଛନ୍ତି ଏବଂ କେନ୍ଦ୍ର କ୍ୟାବିନେଟ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ସମାଜର ସମସ୍ତ ବର୍ଗ ବିଶେଷ ଭାବରେ ଗରିବ ଲୋକଙ୍କ କଲ୍ୟାଣ ଏବଂ ସମାଗର ସର୍ବତ୍ର ବିକାଶକୁ ନିଶ୍ଚିତ କରିବ । “
ସେହିପରି ଇପିଏଫ କ୍ଷେତ୍ରରେ ମଧ୍ୟ ସମୟ ସୀମା ଜୁନ୍ରୁ ଅଗଷ୍ଟ ଯାଏଁ ବୃଦ୍ଧି କରାଯାଇଛି । ଏହି ଯୋଜନା ଅନୁଯାୟୀ, ପ୍ରତି ମାସ ଇପିଏଫ୍ରେ ଜମା ହେଉଥିବା କର୍ମଚାରୀଙ୍କ ମାସିକ ଦରମାର ୧୨ ପ୍ରତିଶତ ଅଂଶଧନ ଓ ନିଯୁକ୍ତିଦାତାଙ୍କ ତରଫରୁ ଜମା ହେଉଥିବା ୧୨ପ୍ରତିଶତ ଅଂଶଧନକୁ ମିଶାଇ ସମୁଦାୟ ୨୪ପ୍ରତିଶତ ଅଂଶଧନ ଟଙ୍କାକୁ ଆହୁରି ତିନି ମାସ ପାଇଁ ସରକାର ଜମା କରିବେ।
