
ବାସ୍ତବ ବ୍ୟୁରୋ: ରାଜ୍ୟରେ ବଢ଼ିଲା ସ୍କୁଲରେ ଆଡମିଶନ ତାରିଖ । ରାଜ୍ୟ ସରକାର ପୁଣିଥରେ ନାମଲେଖା ଅବଧିକୁ ଅଗଷ୍ଟ ୧୪ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବରୁ ଜାରି ହୋଇଥିବା ଏସଓପିକୁ ପାଳନ କରି ଏହି ନାମଲେଖା ପ୍ରକ୍ରିୟା ବଳବତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି ।

ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସର୍ବଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇ ନାମଲେଖା ଅବଧିକୁ ଅଗଷ୍ଟ ୧୪ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୋର୍ଡ ଅଫ ସେକେଣ୍ଡାରୀ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ରାଜ୍ୟ ମଦ୍ରାସା ବୋର୍ଡ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ ସମସ୍ତ ସକରାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଏହି ନାମଲେଖା ଅଗଷ୍ଟ ୧୪ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ନାମଲେଖାରୁ ଯେଭଳି କୌଣସି ଛାତ୍ରଛାତ୍ରୀ ବଂଚିତ ହେବେ ନାହିଁ ସେଥିପାଇଁ ସ୍କୁଲ କର୍ତ୍ତୃପକ୍ଷ ନିଜଆଡ଼ୁ ଛାତ୍ରଛାତ୍ରୀମାନଙ୍କର ନାଁ ଉପର କ୍ଲାସରେ ଲେଖାଇବେ।
ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ତଥ୍ୟ ଟେଲିଫୋନ୍ ମାଧ୍ୟମରେ ସ୍ଥାନୀୟ ଅଙ୍ଗନୱାଡ଼ି କେନ୍ଦ୍ରଠୁ ସ୍କୁଲ ପ୍ରଧାନଶିକ୍ଷକ ସଂଗ୍ରହ କରିବେ। ଅଭିଭାବକମାନଙ୍କୁ ଟେଲିଫୋନ୍ ମାଧ୍ୟମରେ ଯୋଗାଯୋଗ କରିବେ ଓ କୌଣସି ପରିସ୍ଥିତିରେ ପିଲାମାନଙ୍କୁ ସ୍କୁଲକୁ ନଡକାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
