
ବାସ୍ତବ ବ୍ୟୁରୋ-ଲକଡାଉନ୍ ହେଲା ସମଗ୍ର ରାଉରକେଲା ମ୍ୟୁନିସପାଲଟି ଓ ୪ଟି ଜିଲ୍ଲା । ଆସନ୍ତା ୧୭ତାରିଖ ରାତି ୯ଟାରୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ହେବ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର । ଏହି ଲକଡାଉନ୍ କଡ଼ାକଡ଼ି ପାଳନ ହେବ । ତେବେ ସାମଗ୍ରୀ ପରିବହନ ଓ ଆର୍ଥିକ ଗତିବିଧି ସମେତ ଅତ୍ୟାବଶ୍ୟକ ସେବାକୁ ଏହି କଟକଣାରୁ ବାଦ୍ ଦିଆଯାଇଛି ।

ଆଜି ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି କି , “ରାଜ୍ୟରେ ଯେତିକି ଲୋକ ସଂକ୍ରମିତ ହେଉଛନ୍ତି ସେମାନଙ୍କ ମଧ୍ୟରୁ ୬୬ ପ୍ରତିଶତ ସଂକ୍ରମିତ ମାମଲା ରାଉରକେଲା ମ୍ୟୁନିସପାଲଟି ସମେତ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାରେ ଚିହ୍ନଟ ହେଉଥିବାରୁ ଏସବୁ ଅଂଚଳରେ ସରକାର କେତେକ କଠୋର ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଲକଡାଉନବେଳେ ସଂକ୍ରମିତ ସଂଖ୍ୟାକୁ ହ୍ରାସ କରିବା ପାଇଁ ସଂକ୍ରମିତଙ୍କ ଚିହ୍ନଟ, ପରୀକ୍ଷା ଓ ଆଇସୋଲେସନ ନିମନ୍ତେ ପଦକ୍ଷେପ ନିଆଯିବ।“
ଏହି ୪ଟି ଜିଲ୍ଲା ମଧ୍ୟକୁ ପ୍ରବେଶ ଉପରେ କଟକଣା ରହିବ । ଏହି ୧୪ଦିନ ଭୁବନେଶ୍ୱର ଓ କଟକ ସହର ମଧ୍ୟକୁ ବିନା କାରଣରେ ଅନ୍ୟ ଜିଲ୍ଲାର ଲୋକମାନେ ପ୍ରବେଶ କରିବେ ନାହିଁ । ଏହି ଅବଧି ମଧ୍ୟରେ ରାଉରକେଲା ଓ ଅନ୍ୟ ୪ଟି ଜିଲ୍ଲାରେ ସମସ୍ତ ସରକାରୀ ଅଫିସ ବନ୍ଦ ରହିବା ସହ ଜିଲ୍ଲାପାଳମାନେ ଚାହିଁଲେ ନିଜସ୍ୱ କଟକଣା ମଧ୍ୟ ଜାରି କରିପାରିବେ ।

“ଏହି ଅବଧି ମଧ୍ୟରେ ଲୋକଙ୍କ ଯାତାୟତ ଉପରେ କଟକଣା ରହିବା ସହ ସରକାରୀ, ଘରୋଇ ଅଫିସଗୁଡ଼ିକ ଓ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ । ଜରୁରୀକାଳୀନ ସେବା ଯୋଗାଉଥିବା ସରକାରୀ ଅଫିସ୍ , ମେଡିସିନ୍ ଷ୍ଟୋର, ଆମ୍ବୁଲାନ୍ସ, ସ୍ୱାସ୍ଥ୍ୟ କର୍ମଚାରୀ, ବିଦ୍ୟୁତ ଓ ଜଳ ଯୋଗାଣ ଭଳି ଜରୁରୀ ସେବା,ଇ-କମର୍ସ, ଏଲପିଜି ଓ ପେଟ୍ରୋଲ ପମ୍ପକୁ ଏହି ଲକଡାଉନରୁ ବାଦ୍ ଦିଆଯାଇଛି । ଆଇଟି, ଅର୍ଥନୀତିକ ଗତିବିଧି ଓ ଶିଳ୍ପାଂଚଳରେ ଆବଶ୍ୟକ ଗତିବିଧି ରହିବ। ସକାଳ ୬ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପନିପରିବା ଗ୍ରୋସୋରୀ ଓ କ୍ଷୀର ଦୋକାନ ଖୋଲା ରହିବ । ସାମଗ୍ରୀ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ। ସମସ୍ତେ ଏହି ଲକଡାଉନ୍ ନିୟମକୁ ପାଳନ କରିବେ । ଯଦି କେହି ଏହାକୁ ଉଲ୍ଳଘଂନ କରନ୍ତି ସେମାନଙ୍କ ବିରୁଦ୍ଧରେ ମହାମାରୀ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।”
