
ବାସ୍ତବ ବ୍ୟୁରୋ-ସାରା ବିଶ୍ୱ ଇମ୍ୟୁନିଟି ପାୱାର ବା ରୋଗପ୍ରତିରୋଧକ ଶକ୍ତି କୁ ବଢ଼ାଇ କରୋନା କୁ ହରେଇବା ପାଇଁ ସଚେତନତା ସୃଷ୍ଟି କରୁଥିବା ବେଳେ ଆମ ରାଜ୍ୟର ପୋଲିସ କମିଶନର ଙ୍କ ନଜର ପଡିଛି ଥାନା ବାବୁଙ୍କ ମେଦବହୁଳତା (BMI) ଉପରେ । ଏହାର କାରଣ ଯାହା ଥାଉ ନା କାହିଁକି ପୋଲିସ କର୍ମଚାରୀଙ୍କ ନିଦ ହଜାଇ ଦେଇଛି ।
କରୋନା କଟକଣା ସମୟରେ ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବେଳେ,କମିସନରେଟ୍ ପୋଲିସର ସମସ୍ତ କାର୍ଯ୍ୟକର୍ତ୍ତା ନିଜକୁ ଫିଟ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ । କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସପ୍ତାହକ ମଧ୍ୟ ରେ ସବୁ ପୋଲିସ କର୍ମଚାରୀଙ୍କର ବଡି ପାରାମିଟର ଆନାଲିସିସ୍ (ବୟସ ଓ ଉଚ୍ଚତା ଅନୁସାରେ ଅନୁପାତିକ ଓଜନ) କରାଯିବ,ଏବଂ କର୍ମଚାରୀଙ୍କୁ ସେମାନଙ୍କର ଓଜନ କେତେ ରହିବା ଦରକାର ବୁଝାଇ ଦିଆଯିବ । ୧୯ ରୁ ୨୫ ମଧ୍ୟରେ BMI (ବଡି ମାସ ଇନଡେକ୍ସ)ସ୍ୱାଭାବିକ, ୩୦ ହେଲେ ମେଦବହୁଳତା ଧରାଯିବ ।

ଏ ସଂକ୍ରାନ୍ତୀୟ ତଥ୍ୟ ପୋଲିସ ଡାକ୍ତରଖାନାରେ ରଖାଯିବ । ୩ ମାସ ପରେ ନଭେମ୍ବରରେ ପୁଣି ସମସ୍ତଙ୍କ ଓଜନ ନିଆଯିବ । ଯେଉଁମାନେ ବଡି ଫିଟନେସ୍ରେ ଅଯୋଗ୍ୟ ସାବ୍ୟସ୍ତ ହେବେ ସେମାନଙ୍କୁ ତୁରନ୍ତ ଫିଟନେସ୍ ଠିକ୍ କରିବାକୁ ସମୟ ଦିଆଯିବ । ପୋଲିସ କମିସନର କହିଛନ୍ତି ଯେ, ନିର୍ଦ୍ଧାରିତ ସମୟ ମଧ୍ୟରେ ଫିଟନେସ୍ ବଜାୟ ନରଖିଲେ କମିଶନରେଟରୁ ବିଦା ହେବେ । ଏପରିକି ସେମାନଙ୍କ ଦରମା ବୃଦ୍ଧି ବନ୍ଦ କରିବା ସହ ଦରକାର ପଡିଲେ ସ୍ବାସ୍ଥ୍ୟଗତ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇପାରେ ।




