ଆରପାରିରେ ଅଭିନେତା ନିର୍ଦ୍ଦେଶକ ବିଜୟ ମହାନ୍ତି…

ବାସ୍ତବ ବ୍ୟୁରୋ-ଅଭିନୟର ବାଦଶାହା କଳାର ନିରବଚ୍ଛିନ୍ନ ପୂଜକ ସମସ୍ତଙ୍କର ପ୍ରିୟ ବିଜୟ ମହାନ୍ତି ଆଉ ନାହାନ୍ତି । ସମସ୍ତଙ୍କୁ ପର କରି ସେ ଆଜି ପରପାରିରେ । ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ଓଡିଆ ଚଳଚ୍ଚିତ୍ର ତଥା ମଞ୍ଚ ଅଭିନୟ ଓ ନିର୍ଦେଶନା ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାର କରିଥିଲେ ବିଜୟ ମହାନ୍ତି । ଅଭିନେତା ଓ ନିର୍ଦ୍ଦେଶକ ଭାବେ ସଫଳ ହୋଇଥିବା ବେଳେ ଅଧ୍ୟାପନା କ୍ଷେତ୍ରରେ ମଧ୍ୟ ପ୍ରସିଦ୍ଧି ଲାଭ କରିଥିଲେ । ଏହି ବର୍ଷୀଆନ୍ ଅଭିନେତାଙ୍କୁ ମୃତ୍ୟୁବେଳକୁ ୭୦ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ।

ହାଇଦ୍ରାବାଦରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବାରୁ ତାଙ୍କୁ ଓଡିଶା ଅଣାଯାଇଥିଲା । ଏଠାରେ ପୁଣି ଅସୁସ୍ଥତା ଯୋଗୁଁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଜି ସଂଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରତର ହେବାରୁ ତାଙ୍କୁ ସଂଧ୍ୟାରେ ଭୁବନେଶ୍ୱରସ୍ଥିତ କେୟାର ହସପିଟାଲକୁ ନିଆଯାଇଥିଲା ।

ନ୍ୟାସ୍ନାଲ୍ ସ୍କୁଲ୍ ଅଫ୍ ଡ୍ରାମା, ଦିଲ୍ଲୀରୁ ପ୍ରଶିକ୍ଷଣ ପରେ ୧୯୭୬ ମସିହାରେ ‘ନାଗଫାଶ’ ଚଳଚ୍ଚିତ୍ରରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ବିଜୟ ମହାନ୍ତି । ନ୍ୟାସ୍ନାଲ୍ ସ୍କୁଲ୍ ଅଫ୍ ଡ୍ରାମାରେ ପଢିବା ବେଳେ ବିଶିଷ୍ଟ ବଲିଉଡ ଅଭିନେତା ନାସିରୁଦ୍ଦିନ ଶାହା, ରାଜବବର ଓ ଓମ ପୁରୀ ତାଙ୍କର ସହପାଠୀ ଥିଲେ । ଉଚ୍ଚକୋଟୀର ଅଭିନୟ ନିମନ୍ତେ ସେ ଓଡ଼ିଆ ଚଳଚ୍ଚିତ୍ରର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ପାଇଛନ୍ତି । ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଉତ୍କଳ ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ‘ଭୁଲି ହୁଏନା’ ନାମକ ଏକ ଚଳଚ୍ଚିତ୍ରରେ ସେ ନିର୍ଦେଶନା ଦେଇଛନ୍ତି ।

ବିଜୟ ମହାନ୍ତି ୧୯୫୦ ମସିହାରେ କେନ୍ଦ୍ରାପଡା ଜିଲ୍ଲାର ଦୁହୁରିୟା ସ୍ଥିତ ପାଣ୍ଡିରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତେବେ ମୟୂରଭଞ୍ଜର ବାରିପଦାରେ ସେ ସ୍କୁଲ ଓ କଲେଜ ଶିକ୍ଷା ଗ୍ରହଣ କରିଥିଲେ । ସ୍ନାତକ ଶିକ୍ଷା ଶେଷ ପରେ ସେ ଦିଲ୍ଲୀର ନ୍ୟାଶନାଲ ସ୍କୁଲ ଅଫ୍ ଡ୍ରାମାରେ ନାମ ଲେଖାଇଥିଲେ । ୧୯୭୫ ମସିହା ପର୍ଯ୍ୟନ୍ତ ଦିଲ୍ଲୀରେ ଅବସ୍ଥାନ କରିଥିଲେ । ୧୯୭୭ ମସିହାରେ ‘ଚିଲିକା ତୀରେ’ ତାଙ୍କର ପ୍ରଥମ ଅଭିନୀତ ଚଳଚ୍ଚିତ୍ର । ତାହା ଜାତୀୟ ପୁରସ୍କାର ପ୍ରାପ୍ତ । ପରେ ପରେ ନାଗଫାସ,ଦଣ୍ଡାବାଳୁଙ୍ଗା,ସମୟବଡ ବଳବାନ,ସହରୀବାଘ,ଚକାଭଉଁଁରୀ ଆଦି ଚଳଚିତ୍ରରେ ତାଙ୍କର ନିଖୁଣ ଅଭିନୟ ତାଙ୍କୁ ସବୁଦିନ ସମସ୍ତଙ୍କ ପାଖରେ ଆମର କରି ରଖିବ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Jul 21 , 2020
୧-ଆଜି ରାଜ୍ୟରେ ୨୩ଟି ଜିଲ୍ଲାରୁ ୬୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୭୫୭ ରେ ପହଞ୍ଚିଛି । ଏଥିମଧ୍ୟରୁ ୫୭୧୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୯୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨-ରାଜ୍ୟ ସରକାରଙ୍କ ବଡ ଘୋଷଣା, ଏଣିକି କରୋନା ମୃତ୍ୟୁବରଣ କରୁଥିବା ଲୋକଙ୍କ ଶବ ସତ୍କାର କଲେ ମିଳିବ ୭୫୦୦ ଟଙ୍କା ‌ । […]

You May Like

Pin It on Pinterest