
ବାସ୍ତବ ବ୍ୟୁରୋ-ଆଜି ସନ୍ଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ଓ କଟକ ଜିଲ୍ଲାର କରୋନା ସମୀକ୍ଷା କରି କରୋନା ପରିଚାଳନା ଟିମ୍କୁ ଧନ୍ୟବାଦ ଜଣାଇଛନ୍ତି । କାରଣ ରାଜ୍ୟ ବାହାରୁ ଏକ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ ଖୋର୍ଦ୍ଧା (ଭୁବନେଶ୍ବର) ଓ କଟକ ଜିଲ୍ଲାରେ କରୋନା ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ।

କଟକ ଜିଲ୍ଲାରେ ଏହା ୭୧ ପ୍ରତିଶତ ଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସୁସ୍ଥତା ହାର ୭୦ ପ୍ରତିଶତ, ଯାହାକି ଜାତୀୟ ହାର ୬୩ ପ୍ରତିଶତରୁ ଅଧିକ । କୋଭିଡ ପରିଚାଳନାକୁ ଆହୁରି ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ ଜିଲ୍ଲା ପାଇଁ ୧୫ କୋଟି ଲେଖାଏଁ ସମୁଦାୟ ୩୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ, ନୂଆ କୋଭିଡ ଡାକ୍ତରଖାନା ଓ କୋଭିଡ କେୟାର ହୋମ୍ ପରିଚାଳନା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ୨୦ କୋଟି ୬୪ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି, ଓଏଚଏମଏସ୍ କ୍ୟାଡରର ଡାକ୍ତରମାନଙ୍କ ଅବସର ବୟସକୁ ୬୨ ରୁ ୬୫ ବର୍ଷକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି । ଏହାସହିତ ଲେବର ଓ ଇଏସଆଇ ବିଭାଗରେ କାମ କରୁଥିବା ଇନସୁରାନ୍ସ ମେଡିକାଲ ଅଫିସରମାନଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ।

ଭୁବନେଶ୍ବରର ତିନି ବିଧାୟକଙ୍କ ସକ୍ରିୟ ସହଯୋଗ ଏବଂ ଭୁବନେଶ୍ବରର ବିଭିନ୍ନ ଧାର୍ମିକ, ସାମାଜିକ ଅନୁଷ୍ଠାନ, NGO ଓ ଆବାସିକ କଲ୍ୟାଣ ସଂସ୍ଥା ଗୁଡିକ ଦ୍ବାରା ଭୁବନେଶ୍ବରରେ ୧୩୮୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ହୋମ୍ ଖୁବ ଶୀଘ୍ର ସ୍ଥାପନ ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଅନ୍ୟ ସଂଗଠନ ମାନଙ୍କୁ ମଧ୍ୟ ଆଗେଇ ଆସିବା ପାଇଁ ଏହା ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।
ଏହି ଅବସରରେ କୋଭିଡ-୧୯ ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ସାମିଲ ହୋଇ ନୂଆ କୋଭିଡ କେୟାର ହୋମ୍ ଓ କୋଭିଡ କେୟାର ସେଣ୍ଟର ସ୍ଥାପନ ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅନୁଷ୍ଠାନ ଓ କର୍ପୋରେଟ୍ ସେକ୍ଟରମାନଙ୍କୁ ଆହ୍ବାନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ସ୍ବଳ୍ପ ଓ ମଧ୍ୟମ ଲକ୍ଷଣ ଥିବା କରୋନା ରୋଗୀଙ୍କ ଚିକିତ୍ସା ପାଇଁ କୋଭିଡ କେୟାର ସେଣ୍ଟର ଓ କୋଭିଡ କେୟାର ହୋମ୍ର ପରିକଳ୍ପନା କରାଯାଇଛି। କରୋନା ଯୁଦ୍ଧରେ ଆଗଧାଡିରେ ଥିବା କୋଭିଡ ଯୋଦ୍ଧାମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ସମୀକ୍ଷା ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ –
ଭୁବନେଶ୍ବରର ବସ୍ତି ମାନଙ୍କରେ କୋଭିଡ ସଂକ୍ରମଣ ରୋକିବା ଉପରେ ଫୋକସ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବସ୍ତି କମିଟି ଗୁଡିକ ଏ ଦିଗରେ ଭଲ କାମ କରୁଥିବାକୁ BMC ପକ୍ଷରୁ ସେମାନଙ୍କୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କଟକ ଜିଲ୍ଲାରେ କୋଭିଡ ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯାଇଛି । ୯୨୫ ଅତିରିକ୍ତ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ, କୋଭିଡ କେୟାର ସେଣ୍ଟର କଟକ ଜିଲ୍ଲାରେ କାର୍ଯ୍ୟ କରୁଛି।
ପୂଜା କମିଟି ଓ ସାହି କମିଟିର ସହଯୋଗରେ କଟକର ସାହି ବସ୍ତି ମାନଙ୍କ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବା ଉପରେ ଗୁରୁତ୍ବ । କଟକ SCBରେ କୋଭିଡ-୧୯ ସଂପର୍କରେ ତାଲିମ ଓ ସୂଚନା ଦେବା ପାଇଁ ସୂଚନ କେନ୍ଦ୍ର ଖୁବ୍ ଶୀଘ୍ର କାର୍ଯ୍ୟ କରିବ। କଟକସ୍ଥିତ Molecular Genome Labର up-gradation କରାଯିବ। ଏହାଦ୍ବାରା କୋଭିଡ-୧୯ ରୋଗୀ ମାନଙ୍କୁ ଫଳପ୍ରଦ ଚିକିତ୍ସା ଯୋଗାଇ ଦିଆଯାଇପାରିବ।
ଭୁବନେଶ୍ବରରେ ଆଦିତ୍ୟ-ଅଶ୍ବିନୀ ଡାକ୍ତରଖାନା ପକ୍ଷରୁ ୩୦ଟି ICU ସହିତ ୧୫୦ ଶଯ୍ୟା ବିଶିଷ୍ଟ Dedicated Covid Hospital ପ୍ରତିଷ୍ଠା କରାଯିବ। ନୀଳାଚଳ ଡାକ୍ତରଖାନାରେ ୧୫ଟି ICU ସହିତ ୧୨୬ ଶଯ୍ୟା ବିଶିଷ୍ଟ Dedicated Covid Hospital ଚଳିତ ସପ୍ତାହରେ କାର୍ଯ୍ୟ ଆରମ୍ଭ କରିବ।
ଗଞ୍ଜାମ ଜିଲ୍ଲାରେ ଆଜି ୩ ଜଣ ଗୁରୁତର କୋଭିଡ ରୋଗୀଙ୍କୁ ପ୍ଲାଜ୍ମା ଥେରାପି ଦିଆଯିବା ବିଷୟରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ। ରାଜ୍ୟର ସବୁ ଜିଲ୍ଲାରେ ସୁସ୍ଥ ହୋଇଥିବା କୋଭିଡ ରୋଗୀଙ୍କ ମାନସିକ ସ୍ବାସ୍ଥ୍ୟର ଯତ୍ନ ପାଇଁ ମାନସିକ ରୋଗ ଚିକିତ୍ସକଙ୍କୁ ନିୟୋଜିତ କରାଯିବ ବୋଲି ସେ କହିଥିଲେ।
କଟକ SCBରେ outdoor patient ମାନଙ୍କ ସୁବିଧା ପାଇଁ ଅଧିକ ଅସ୍ଥୟୀ OPD ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା। ଖୋର୍ଦ୍ଧା ଓ କଟକ ଜିଲ୍ଲା ପାଇଁ ଥିବା ପର୍ଯ୍ୟବେକ୍ଷକ ମାନେ ଏବଂ ଜିଲ୍ଲାପାଳ ଦ୍ବୟ ସେମାନଙ୍କ ଜିଲ୍ଲାର କୋଭିଡ ପରିଚାଳନା ସଂପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ।
ଆଲୋଚନାରେ ଅଂଶଗ୍ରହଣ କରି ନଗର ଉନ୍ନୟନ, ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କୋଭିଡ ଚିକିତ୍ସା ପାଇଁ Exclusive Covid Hospital, ଅଧିକ ଶଯ୍ୟା ଓ ICU ଉପରେ ଗୁରୁତ୍ବ ଦେଇଥିଲେ । ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ surveillance, home isolation ଆଦି ଉପରେ ଜୋର ଦେବା ସହ ଗୁଟ୍କା ର ବ୍ୟବହାର କଡାକଡି ଭାବରେ ନିଷିଦ୍ଧ କରିବା ପାଇଁ ପରାମର୍ଶ ଦେଇଥିଲେ । ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା କୋଭିଡ ସଚେତନତା ଅଭିଯାନରେ ଥିବା ବ୍ୟକ୍ତିମାନଙ୍କ Insurance coverage ଗୁରୁତ୍ୱାରୋପ କରିଥିଲେ । ପ୍ଲାଜ୍ମା ଥେରାପି ସଂପର୍କରେ ଜନସଚେତନତା ସୃଷ୍ଟି କରିବା ଏବଂ ଏଥିପାଇଁ ଏକ protocolର ବିକାଶ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ପରାମର୍ଶ ଦେଇଥିଲେ।
