ବାସ୍ତବ ବ୍ୟୁରୋ-ବୁଧବାର କେନ୍ଦ୍ର କ୍ୟାବିନେଟ୍ ନୂତନ ଜାତୀୟ ଶିକ୍ଷା ନୀତି (NEP) କୁ ଅନୁମୋଦନ କରି HRD ମନ୍ତ୍ରଣାଳୟର ନାମ ଶିକ୍ଷା ମନ୍ତ୍ରଣାଳୟ ଭାବରେ ପୁନଃ ନାମିତ କରାଯାଇଛି । ଏହି ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ଯେ, ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପାଇଁ ଏକକ ନିୟାମକ ରହିବ ଏବଂ ମିଫିଲ ବନ୍ଦ ହୋଇଯିବ ।

ବୁଧବାର ମୋଦୀ ସରକାର ନୂତନ ଶିକ୍ଷା ନୀତି ଅନୁମୋଦନ କରିଛନ୍ତି । ପ୍ରାୟ ଦୁଇ ଲକ୍ଷ ପରାମର୍ଶ ପରେ, ଏହି ନୂତନ ଶିକ୍ଷା ନୀତି ପ୍ରସ୍ତୁତ ହୋଇଛି ।
ଡିଜିଟାଲ୍ ଶିକ୍ଷାକୁ ବୃଦ୍ଧି କରିବା ପାଇଁ ଏକ ଜାତୀୟ ଶିକ୍ଷା ପ୍ରଯୁକ୍ତିବିଦ୍ୟା ଫୋରମ୍ (NETF) ଗଠନ କରାଯିବ । ଉଚ୍ଚଶିକ୍ଷା ସଚିବ ଅମିତ ଖେର କହିଛନ୍ତି ଯେ, ପ୍ରାରମ୍ଭରେ ଆଠଟି ଆଞ୍ଚଳିକ ଭାଷାରେ ଇ-ପାଠ୍ୟକ୍ରମ ବିକଶିତ ହେବ ଏବଂ ଭର୍ଚୁଆଲ୍ ଲ୍ୟାବ ବିକଶିତ ହେବ ।
- ନୂଆ ଶିକ୍ଷା ନୀତିରେ ଦେଶରେ ସ୍ବାକ୍ଷର ହାର ୧୦୦ ପ୍ରତିଶତ କରାଯିବାର ଲକ୍ଷ୍ୟ ରହିଛି। ଶିକ୍ଷା କ୍ଷେତ୍ରରେ ଜନସାଧାରଣଙ୍କ ସକାଶେ ଅଧିକ ପୁଞ୍ଜି ବିନିଯୋଗ କରି ସରକାର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଚିନ୍ତା କରିଛନ୍ତିି ।
- ନୂଆ ଶିକ୍ଷା ନୀତି ଅନୁସାରେ ୩ ବର୍ଷରୁ ହିଁ ପିଲାମାନେ ବିଧିବଦ୍ଧ ସ୍କୁଲ୍ ଶିକ୍ଷା ଆରମ୍ଭ କରିବେ।
- ଅତି କମ୍ରେ ଛାତ୍ରଛାତ୍ରୀମାନେ ପଞ୍ଚମ ଶ୍ରେଣୀ ଯାଏ ମାତୃଭାଷା ବା ଆଞ୍ଚଳିକ ଭାଷାରେ ପାଠ ପଢ଼ିବେ।
- ଷଷ୍ଠ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷା ଆରମ୍ଭ ହୋଇଯିବ। ଏଥିରେ ଇଣ୍ଟର୍ନସିପ୍ ବ୍ୟବସ୍ଥା ମଧ୍ୟ ରହିବ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଜାଭଡେକର କହିଛନ୍ତି ଯେ, ନୂତନ ଶିକ୍ଷା ନୀତି ଭବିଷ୍ୟତରେ ସ୍କୁଲ ବ୍ୟାଗଗୁଡ଼ିକର ଭାର ହ୍ରାସ କରିବ । ଏହା ଦକ୍ଷତା ବୃଦ୍ଧି କରିବ ଏବଂ ରୋଜଗାରର ସୁଯୋଗ ଯୋଗାଇବ । ଏକ ବିକଳ୍ପ ଭାବରେ ସ୍ଥାନୀୟ ଭାଷା ମଧ୍ୟ ଉପଲବ୍ଧ ହେବ । ଏହା ମାଧ୍ୟମରେ ଭାରତୀୟ ଭାଷା ଉତ୍ସାହିତ ହେବ ।
- ୧୦+୨ ଢାଞ୍ଚା ବଦଳରେ ୫+୩+୩+୪ ବ୍ୟବସ୍ଥା ପ୍ରଚଳନ କରିବାକୁ ସ୍ଥିର କରାଯାଇଛି । ଶିକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଅନେକ ଉପାୟରେ ପରିବର୍ତ୍ତନ କରାଯାଇଛି ।
- ନୂଆ ଶିକ୍ଷା ନୀତି ଅଧୀନରେ ଏମ୍ଫିଲ୍ ପାଠ୍ୟକ୍ରମ ବନ୍ଦ ହେବ । ସ୍ନାତକ, ସ୍ନାତକୋତର ଏବଂ ପିଏଚ୍ଡି ସ୍ତରର ସମସ୍ତ କୋର୍ସ୍କୁ ଆନ୍ତଃବିଭାଗୀୟ କରାଯିବ ।
- ୪ ବର୍ଷୀୟା ସ୍ନାତକ ପାଠ୍ୟକ୍ରମ ପୁଣି ଆରମ୍ଭ ହେବ। ତେବେ ବିଏ, ବିଏସ୍ସି ଏବଂ ବିଭୋକାଲ କାର୍ଯ୍ୟକ୍ରମ ତିନି ବର୍ଷୀୟା ରହିବ।
- ଶିକ୍ଷା ଫି ଉପରେ ସରକାର ସୀମା ଧାର୍ଯ୍ୟ କରିବେ ।
- ବିଶ୍ବବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଆଡମିସନ୍ ପାଇଁ ସାଧାରଣ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।
- ଶ୍ରେଷ୍ଠ ୧୦୦ ଟି ବିଦେଶୀ କଲେଜକୁ ଭାରତରେ କ୍ୟାମ୍ପସ୍ ସ୍ଥାପନ କରିବାକୁ ଅନୁମତି ଦିଆଯିବ ।
- ଷ୍ଟାଣ୍ଡାଲୋନ୍ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବଂ ବୃତ୍ତିଗତ ଶିକ୍ଷା ପ୍ରତିଷ୍ଠାନଗୁଡିକ ବହୁ-ଶୃଙ୍ଖଳିତ ଶିକ୍ଷାରେ ବିକଶିତ ହେବ ।
- ସମସ୍ତ ବୃତ୍ତିଗତ ଶିକ୍ଷା ଉଚ୍ଚଶିକ୍ଷା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବ ।
- ସମସ୍ତ ଭାରତୀୟ ଭାଷାର ସଂରକ୍ଷଣ ଓ ଅଭିବୃଦ୍ଧିକୁ ମିଳିବ ପ୍ରୋତ୍ସାହନା ।
- ଉଭୟ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ପାଇଁ ଇ-ଶିକ୍ଷା ଯୋଗାଇ ଦେବାକୁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତ କରାଯିବ।
- ଛାତ୍ରବୃତ୍ତି ପାଇଁ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ବିକାଶ ପାଇଁ ଜାତୀୟ ସ୍କଲାରସିପ୍ ପୋର୍ଟାଲ୍ ବିସ୍ତାର କରାଯିବ।
- ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଯଦି ଆଦର୍ଶ ଏବଂ ମାନଦଣ୍ଡକୁ ଅନୁକରଣ ନକରନ୍ତି ତେବେ ଦଣ୍ଡିତ ହେବେ।
ଆଞ୍ଚଳିକ ଭାଷାରେ ଅନଲାଇନ୍ ପାଠ୍ୟକ୍ରମ ମଧ୍ୟ ରହିବ । ୨୦୩୦ ସୁଦ୍ଧା, ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ପ୍ରମୁଖ ବହୁ-ବିଷୟ ଉଚ୍ଚ ଅନୁଷ୍ଠାନ ଖୋଲା ଯିବ ।
