
ବାସ୍ତବ ବ୍ୟୁରୋ-ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କେନ୍ଦ୍ରାପଡା ଜିଲ୍ଲାର ବିଧାୟକ ଓ ସରପଞ୍ଚମାନଙ୍କ ସହିତ କରୋନା ସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରପଞ୍ଚମାନଙ୍କୁ ଦିଆଯାଇଥିବା ଜିଲ୍ଲାପାଳ କ୍ଷମତାକୁ ସେମାନେ ଦକ୍ଷତାର ସହ କରୋନା ନିୟନ୍ତ୍ରଣରେ ଉପଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ଉପରେ ତାଙ୍କର ଭରସାକୁ ଆହୁରି ଦୃଢ କରିଛି ବୋଲି ମତ ଦେଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ସୁବିଧା ପାଇଁ ଜିଲ୍ଲାର ପ୍ରତି ବ୍ଲକ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଗୋଟିଏ ଲେଖାଏ ଭେଣ୍ଟିଲେଟର ଯୁକ୍ତ ଆମ୍ବୁଲାନ୍ସ ଯୋଗାଇ ଦିଆଯିବା ସହ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହୋଇଥିବା ସବୁ ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ତୁରନ୍ତ ରେସନ୍ କାର୍ଡ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ରାପଡା ଜିଲ୍ଲାରେ କରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ତଥା ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ଯେଭଳି କାମ କରୁଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପ୍ରଶଂସା କରିବା ସହିତ ସେମାନଙ୍କ ଭଲ କାମ ପାଇଁ ଧନ୍ୟବାଦ ଜଣାଇଛନ୍ତି ।
କେନ୍ଦ୍ରାପଡା ପ୍ରତି ସେ ସବୁବେଳେ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆସିଛନ୍ତି ବୋଲି ପ୍ରକାଶ କରିଛନ୍ତି । ବର୍ତ୍ତମାନ ଲଘୁଚାପଜନିତ ବର୍ଷା ଜାରି ରହିଥିବାକୁ କେନ୍ଦ୍ରାପଡା ଜିଲ୍ଲାର ଆବଶ୍ୟକତାକୁ ଭିତ୍ତିକରି ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
