ବାସ୍ତବ ବ୍ୟୁରୋ-ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରି କୁହାଯାଇଛି ଯେ, ପଶ୍ଚିମବଙ୍ଗ ଏବଂ ଏହାର ପଡ଼ୋଶୀ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଏକ ଘର୍ଣ୍ଣିବଳୟ ପ୍ରଭାବରେ ଏହି ବର୍ଷା ହେବ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୪୮ ଘଣ୍ଟା ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସୂଚନାନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି ।
ସେହିପରି, ଅଗଷ୍ଟ ୩ ତାରିଖ, ରାଜ୍ୟର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି। ଏହି ସମୟ ମଧ୍ୟରେ ସୋନପୁର, ସମ୍ବଲପୁର, ବଲାଙ୍ଗୀର ଏବଂ ବରଗଡ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି, ଏବଂ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।



