ପଦ୍ମତୋଳା ମନ୍ତ୍ର ଫୁଙ୍କାଚାଲିଥିଲା
ସମ୍ମୋହିତ ନହେବା କୁ
ଆଉ ରାସ୍ତା ନଥିଲା ।
ରକ୍ତର ସୁଅ ମୁହଁ ରେ ଭାସିଗଲେ
କେତୋଟି କଟା ମୁଣ୍ଡ
କିଛି କଲିଜା ଶିଥିଳତାର ମାଟି ଧରିଲେ ।
ଐତିହ୍ୟ ର ଆୟୁଷ ବି
ଝାସଦେଲା ଲଜ୍ଜା ନିବାରିବାକୁ
ଜ୍ଞାନେନ୍ଦ୍ରିୟ ହଜିଗଲା ବୋଧେ
ନିର୍ବାଣ ରାସ୍ତା ର ପ୍ରେମ ଆସ୍ୱାଦିବାକୁ ।
ନୀଳ ପାଲଟିଲା କଳା ପାଉଁଶିଆ
ତୁଠ ପଥର ବି ବହେ କାନ୍ଦିଲା
ରାକ୍ଷୀ ର ବଳୟ ହେଲା ରକ୍ତାକ୍ତ
ସଂପର୍କ , ଖିଅଟିଏ ଲୋଡୁଥିଲା ।
କି ଭେଦ କି ଫାଙ୍କ ସବୁ ଏକାକାର
ନିଆଁ ଲଗାଇଦେଲେ ସେ ଅକ୍ଷର ଗୁଡା
ଗଣତନ୍ତ୍ର ରାଣୀ ର ବଡ ଫୁଟାଣୀ
କାଇଁ ଫେରିଗଲା ତା ବାଙ୍କ ଚାହାଣୀ । ଦୂର୍ ଦୂର୍—–,
ମାର୍ ମାର୍—–
ଏତକ କେବଳ ସହାୟ ହେଲା ।।
ମମତା ପ୍ରିୟଦର୍ଶିନୀ ସାହୁ,ଓଡିଆ ଅଧ୍ୟାପିକା, ସରକାରୀ ଏସ୍ ଏସ୍ ଡି, ଏଚ୍ ଏସ୍ ଏସ୍ ,ଯୁକ୍ତ ଦୁଇବିଜ୍ଞାନ ମହାବିଦ୍ୟାଳୟ ,ବାଲିଶଙ୍କରା, ସୁନ୍ଦରଗଡ ।