ବାସ୍ତବବ୍ୟୁରୋ: ନୃତଙ୍ଗଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ପ୍ରଭାରୀ ତଥା ସାଂସଦ ଡି.ପୁରନ୍ଦେଶ୍ୱରୀ କହିଛନ୍ତିକି,ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା ।ଶାସକ ବିଜେଡି ଦଳର ଭ୍ରଷ୍ଟାଚାର ବିରୁଦ୍ଧରେ କୁଳମଣି ବରାଳ ସ୍ୱର ଉଠାଇଥିବାରୁ,ରାଜନୈତିକ ପ୍ରତିହିଂସା ପରାୟଣ ହୋଇ ତାଙ୍କୁ ହତ୍ୟା କରାଯାଇଛି ।

୧ ବର୍ଷ ତଳେ ସମାନ ଢଙ୍ଗରେ ବିକାଶ ଜେନାଙ୍କୁ ହତ୍ୟା କରାଯାଇଥିଲା । ମାହାଙ୍ଗାରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉଠାଇଲେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରରୋଚନାରେ ଶାସକ ଦଳର ଗୁଣ୍ଡାମାନେ ବିରୋଧୀଙ୍କୁ ହତ୍ୟା କରୁଛନ୍ତି । ଦିବ୍ୟସିଂହ ବରାଳ ମୃତ୍ୟୁ ପୂର୍ବରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ନେଇଥିଲେ ଏବଂ ଏତଲା କପିରେ ମଧ୍ୟ ମନ୍ତ୍ରୀଙ୍କ ନାଁ ରହିଥିବାବେଳେ ପୁଲିସ କାହିଁକି ଏ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରିନାହିଁ ବୋଲି ପ୍ରଶ୍ନ କରିଛନ୍ତି, ରାଜ୍ୟ ପ୍ରଭାରୀ ତଥା ସାଂସଦ ଡି.ପୁରନ୍ଦେଶ୍ୱରୀ ।
ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ନବୀନ ବାବୁଙ୍କ ଶାସନରେ ଓଡିଶାର ଲୋକମାନେ ଦୁଃଖ କଷ୍ଟରେ ଜୀବନଯାପନ କରୁଛନ୍ତି । ନବୀନ ବାବୁ ପଦାକୁ ଆସନ୍ତୁ, ଆଖି କାନ ଖୋଲନ୍ତୁ, ରାଜ୍ୟବାସୀଙ୍କ ସମସ୍ୟାର ସମାଧାନ କରନ୍ତୁ । ଶାସକ ଦଳ ନେତା ଏବଂ ତାଙ୍କ ସଂପର୍କୀୟମାନେ ଦୁର୍ନୀତିରେ ବୁଡି ରହିଛନ୍ତି । ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭାଇଙ୍କ ନାଁରେ ଜାଲିଆତି କରି ଚାଷୀ ଋଣ ଉଠାଇବା ଅଭିଯୋଗ ରହିଛି । ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ରାଜ୍ୟସରକାର ନିରବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି |