
ବାସ୍ତବବ୍ୟୁରୋ:ଭୁବନେଶ୍ବର: ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ,ଛାତ୍ର ସମାଜର ବୃହତର ସ୍ବାଥକୁ ଦୃଷ୍ଟିରେ ରଖି,ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଲାମାନଙ୍କ ପରୀକ୍ଷା ଫି’ ଛାଡ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଓଡ଼ିଶାର ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ । ରାଜ୍ୟ ସରକାରଙ୍କର ଏ ବାବଦରେ ୨୭ କୋଟି ଟଙ୍କା ବ୍ୟୟ ହେବ ।

ମାଟ୍ରିକ ପରୀକ୍ଷା ନିମନ୍ତେ ପ୍ରତି ପରୀକ୍ଷାର୍ଥୀଙ୍କୁ ୪୨୦ ଟଙ୍କା ଫି’ ଦେବାକୁ ପଡିଥାଏ । କରୋନା ମହାମାରୀ ରେ ୨୦୨୦-୨୧ ଶିକ୍ଷା ବର୍ଷ ବିଶେଷ ଭାବରେ ପ୍ରଭାବିତ ହୋଇଛି । ଦୀର୍ଘ ୯ ମାସ କାଳ ସ୍କୁଲ ବନ୍ଦ ରହିବା ପରେ ଜାନୁଆରି ୮ ତାରିଖରୁ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀକୁ କୋଭିଡ ନିୟମ ପାଳନ କରି ଖୋଲିବା ପାଇଁ ଅନୁମତି ଦିଆଯାଇଛି । ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ତଥା ପାଠ୍ୟକ୍ରମରେ ବିଭିନ୍ନ ବିଷୟରେ ଥିବା ସନ୍ଦେହ ଦୂର କରିବା ପାଇଁ କ୍ଲାସ ଆରମ୍ଭ କରାଯାଉଛି। କରୋନା ଯୋଗୁ ବହୁ ଲୋକଙ୍କର ଜୀବନଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତି ଯୋଗୁ ଅର୍ଥାଭାବରୁ କୌଣସି ଛାତ୍ର ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ହେବେ ନାହିଁ