ବାସ୍ତବବ୍ୟୁରୋ:(ଭବାନୀପାଟଣା)ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଳାହାଣ୍ଡିରେ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ୫୪ଟି ପ୍ରକଳ୍ପର ଉଦ୍ଘାଟନ ଓ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।ଆଜି ଉଦ୍ଘାଟିତ ଓ ଶିଳାନ୍ୟାସ କରାଯାଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ମେଗା ଉଠା ଜଳସେଚନ ବ୍ୟବସ୍ଥା, ଫୁଡ ପାର୍କ, ନୂଆ ବିଦ୍ୟୁତ ଫିଡର ଲାଇନ, ଭବାନୀପାଟଣାରେ ନୂଆ ବସ୍ଷ୍ଟାଣ୍ଡ, ରାସ୍ତାଘାଟ, ସେତୁ ଆଦି ବିଭିନ୍ନ ପ୍ରକଳ୍ପ ରହିଛି।

ଏହି ଅବସରରେ ଜୟପାଟଣା ବ୍ଲକ୍ର ମଙ୍ଗଳପୁର ଠାରେ ଆୟୋଜିତ ସଭାରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ,କହିଛନ୍ତି କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ଆଜି ବିକାଶର ମଡେଲ ହୋଇପାରିଛି | ବିଜୁ ବାବୁଙ୍କର କଳାହାଣ୍ଡି ସହିତ ସଂପର୍କର ସ୍ମୃତିଚାରଣ କରି କହିଥିଲେ ଯେ ବିଜୁ ବାବୁ ୯୦ ଦଶକରେ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ଭବାନୀପାଟଣା ଗସ୍ତ ସମୟରେ କିଛି ପିଲା ତାଙ୍କ ଉପରକୁ ପଥର ମାଡ଼ କରିଥିଲେ। ବିଜୁ ବାବୁ ତାଙ୍କ ବିଶାଳ ହୃଦୟରେ ସେହି ପିଲାମାନଙ୍କୁ କ୍ଷମା କରିଥିଲେ। ପରେ ତାଙ୍କ ପୁଅ ଭାବରେ ମୁଁ ଯେତେବେଳେ ଏ ବିଷୟରେ ତାଙ୍କୁ ପଚାରିଥିଲି, ବିଜୁ ବାବୁ କହିଥିଲେ ‘ ଚିନ୍ତାର କିଛି କାରଣ ନାହିଁ’। କଳାହାଣ୍ଡିବାସୀ ମୋତେ ବହୁତ ଭଲ ପାଆନ୍ତି । ମୁଁ ମଧ୍ୟ କଳାହାଣ୍ଡିକୁ ବହୁତ ଭଲ ପାଏ। କଳାହାଣ୍ଡି ମାଟିରେ ମୋର ଯେତିରି ବିନ୍ଦୁ ରକ୍ତ ପଡ଼ିଛି, କଳାହାଣ୍ଡିର ବିକାଶ ପାଇଁ ମୁଁ ତାର ୧୦ ଗୁଣ ଅଧିକ ପରିଶ୍ରମ କରିବି ।
କଳାହାଣ୍ଡିର ବିକାଶରେ କୃଷିର ଭୂମିକାକୁ ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ଏବେ ସମସ୍ତଙ୍କ ଭାତହାଣ୍ଡି ସାଜିଛି । ଧାନ ଉତ୍ପାଦନରେ କଳାହାଣ୍ଡି ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ, ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ମଧ୍ୟ ଚାଉଳ ଯୋଗାଉଛି। କେନ୍ଦ୍ରୀୟ ଭଣ୍ଡାରକୁ ୧୦ଟି ରାଜ୍ୟ ଯେତିକି ଚାଉଳ ଯୋଗାଉଛନ୍ତି, କଳାହାଣ୍ଡି ଏକାକୀ ସେତିକି ଚାଉଳ ଯୋଗାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |
୨୦୦୦ ମସିହାରେ କଳାହାଣ୍ଡିରେ ଶିଶୁ ମୃତ୍ୟୁ ହାର ପ୍ରତି ହଜାରରେ ୭୬ ଥିବାବେଳେ, ମାତୃ ମୃତ୍ୟୁ ହାର ୪୩୨ଥିଲା। ରାଜ୍ୟ ସରକାରଙ୍କର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଯୋଗୁ ଆଜି ଏହି ହାର କମିଛି ଏବଂ ଆମେ ବହୁ ସଂଖ୍ୟାରେ ଶିଶୁ ଓ ମା ମାନଙ୍କର ଜୀବନ ରକ୍ଷା କରିପାରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କଳାହାଣ୍ଡିର ଉନ୍ନତିର ସବୁ ଶ୍ରେୟ ଇନ୍ଦ୍ରବତୀ ନଦୀକୁ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଇନ୍ଦ୍ରବାତୀ ଆମର ମା ଏବଂ କଳାହାଣ୍ଡିର ଜୀବନରେଖା। ସେ ତାର ପ୍ରତିଟି ଜଳବିନ୍ଦୁ ଦେଇ କଳାହାଣ୍ଡିକୁ ସମୃଦ୍ଧ କରିଛି। କଳାହାଣ୍ଡିବାସୀଙ୍କ ଦେହରେ ତାର ପାଣି ରକ୍ତ ହୋଇ ବୋହୁଛି । ମା ଇନ୍ଦ୍ରାବତୀର ଏହି ଅବଦାନକୁ ସମ୍ମାନ ଜଣାଇ ଏଠାରେ ଏକ ସଂଗ୍ରହାଳୟ ଓ ଉଦ୍ୟାନ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।ଏହି ସଂଗ୍ରହାଳୟ ସାରା ବିଶ୍ବକୁ କଳାହାଣ୍ଡିର ରୂପାନ୍ତରର କାହାଣୀ କହିବ।
ଏହି ଉଦ୍ୟାନ ଭିତରେ ମା ଇନ୍ଦ୍ରାବତୀଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି |ଇନ୍ଦ୍ରାବତୀର ଟୋପାଏ ବି ଜଳବିନ୍ଦୁକୁ ନଷ୍ଟ ହେବାକୁ ନ ଦେଇ, କଳାହାଣ୍ଡିର ବିକାଶରେ ପୁରା ବିନିଯୋଗ କରିବା ସହିତ ଭବିଷ୍ୟତ ପୀଢି ପାଇଁ ଇନ୍ଦ୍ରବତୀର ପାଣିକୁ ସୁରକ୍ଷିତ ରଖିବାକୁ ସଂକଳ୍ପ ନେବା ପାଇଁ ମୁଖ୍ୟମନ୍ତ୍ରୀ କଳାହାଣ୍ଡିର ଚାଷୀ ଭାଇଭଉଣୀ ମାନଙ୍କୁ ଆହ୍ବାନ ଜଣାଇଛନ୍ତି |
ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ,ରଘୁନନ୍ଦନ ଦାସ ଓ ଦିବ୍ୟ ଶଙ୍କର ମିଶ୍ର ଉପସ୍ଥିତ ରହି,କଳାହାଣ୍ଡି ବିକାଶପାଇଁ,ସରକାରଙ୍କ ବିକାଶ ବାର୍ତାର ପୁଙ୍ଖନୁ ପୁଙ୍ଖ ବକ୍ତବ୍ୟ ରଖିଥିଲେ।