
ଭୁବନେଶ୍ୱର: ଆସନ୍ତା ଏକ ବର୍ଷ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରେ ୧୦୦ଟି ସ୍କୁଲକୁ ମଡେଲ ସ୍କୁଲ୍ରେ ପରିଣତ କରାଯିବ।ମୋ ସ୍କୁଲ୍ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ, ରାଜ୍ୟ ସରକାର ଏହି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାରେ ପ୍ରତ୍ୟେକ ଜିଲ୍ଲାରୁ ଅତି କମ୍ରେ ୩ଟି ଲେଖାଏଁ ବିଦ୍ୟାଳୟ ରହିବ। ଏଥିସହ ଚଳିତବର୍ଷଠାରୁ ‘ମୋ ସ୍କୁଲ୍ ଅଭିଯାନ’ ମାଧ୍ୟମରେ “ପୋଷ୍ୟ ଛାତ୍ର” କାର୍ଯ୍ୟକ୍ରମ ଆରମ୍ଭ ହେବ।
ପୁରାତନ ଛାତ୍ରଛାତ୍ରୀ ଓ ଇଛୁକ ବ୍ୟକ୍ତିବିଶେଷ ଏହି ୧୦୦ଟି ବିଦ୍ୟାଳୟର ଏକ ହଜାର ଛାତ୍ରଛାତ୍ରୀଙ୍କୁ ପୋଷ୍ୟ ଛାତ୍ର ଭାବରେ ଗ୍ରହଣ କରି ସେମାନଙ୍କ ପାଠପଢାର ସମସ୍ତ ଦାଇତ୍ୱ ନେବେ ।ରାଜନୈତିକ ବ୍ୟକ୍ତିବିଶେଷ, ପ୍ରଶାସନିକ ଅଧିକାରୀ, ଓ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତବିଶେଷଙ୍କୁ “ପୋଷ୍ୟ ଛାତ୍ର”କାର୍ଯ୍ୟକ୍ରମରେ ସାମିଲ କରାଯାଇ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାପାଇଁ ଉତ୍ସାହିତ କରାଯିବାର ଯୋଜନା ପ୍ରସ୍ତୁତ କରାଯାଉଛି ।
ମୋ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନ କାର୍ଯ୍ୟାଳୟରେ ମଙ୍ଗଳବାର ଅନୁଷ୍ଠିତ ‘ମୋ ସ୍କୁଲ୍ ଅଭିଯାନ’ର ୭ମ ପରିଚାଳନା ପରିଷଦ ବୈଠକରେ, ମୋ ସ୍କୁଲ୍ ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ବେସରକାରୀ ସ୍କୁଲ୍ ପରିବର୍ତ୍ତେ, ଅଭିଭାବକମାନେ କିଭଳି ସରକାରୀ ସ୍କୁଲ୍ରେ ପିଲାଙ୍କୁ ପଢାଇବାକୁ ଆଗ୍ରହ ପ୍ରକାଶ କରିବେ ସେହି ଅନୁଯାୟୀ ବିଦ୍ୟାଳୟଗୁଡ଼ିକର ବିକାଶ କରିବାକୁ ‘ମୋ ସ୍କୁଲ୍’ ଅଧ୍ୟକ୍ଷା ଶ୍ରୀମତୀ ବାଗ୍ଚୀ ବୈଠକରେ ଗୁରୁତ୍ୱାରୋପ କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ କହିଲେ ମୋ ସ୍କୁଲ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ରାଜ୍ୟର ୨୫ ହଜାର ସ୍କୁଲ୍ରେ ଭିତ୍ତିଭୂମି ବିକାଶ ସହ ଛାତ୍ରଛାତ୍ରୀଙ୍କୁ ଯେପରି ଗୁଣାତ୍ମକ ଶିକ୍ଷାଦାନ ହୋଇପାରିବ ସେଦିଗରେ ପଦକ୍ଷେପ ନିଆଯାଉଛି।